ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ତିନ୍ମୂର୍ତ୍ତି ଛକର ନାଁ ସହ ଆଜିଠୁ ଇସ୍ରାଏଲୀ ସହର ହାଇଫାର ନାଁ ଯୋଡ଼ିହୋଇଯାଇଛି। ଏଣିକି ଏହି ଛକର ନୂଆ ପରିଚୟ ହେବ ତିନ୍ମୂର୍ତ୍ତି-ହାଇଫା ଛକ। ଏହି ଛକର ଶତବାର୍ଷିକୀ ପାଳନ ତଥା ନୂତନ ନାମକରଣ ପାଇଁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲୀ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁ ଯୋଗଦେଇଥିଲେ।
ଉଲ୍ଲେଖ ଥାଉ କି, ପ୍ରଥମ ବିଶ୍ୱଯୁଦ୍ଧ ଅବସରରେ ୧୯୧୮ ସେପ୍ଟେମ୍ବର ୨୩ରେ ଇସ୍ରାଏଲର ହାଇଫା ସହରକୁ ମିଳିତ ଜର୍ମାନୀ ନେତୃତ୍ୱାଧୀନ ମିଳିତ ସେନା ହାତରୁ ବ୍ରିଟେନ୍ର ୧୫ ଇମ୍ପେରିଆଲ୍ ସର୍ଭିସ୍ କାଭାଲ୍ରି ସେନାବାହିନୀ ଛଡ଼ାଇ ଆଣିଥିଲା। ଏହି ବ୍ରିଟେନ୍ ସେନାବାହିନୀରେ ଅଂଶବିଶେଷ ଥିବା ଭାରତର ହାଇଦ୍ରାବାଦ, ଯୋଦ୍ଧପୁର ଏବଂ ମହୀଶୂର ଲାନ୍ସରର ୪୫ ଜଣ ଯୋଦ୍ଧା ପାଣବଳି ଦେଇଥିଲେ। ତେଣୁ ହାଇଫା ସହରର ବିଜୟ ସ୍ମାରକୀ ସ୍ୱରୂପ, ତିନ୍ମୂର୍ତ୍ତି ଛକରେ ସ୍ଥାପିତ ତିନିଟି ବ୍ରୋଞ୍ଚ ପ୍ରତିମୂର୍ତ୍ତି ଯଥାକ୍ରମେ ହାଇଦ୍ରାବାଦ, ଯୋଦ୍ଧପୁର ଏବଂ ମହୀଶୂର ଲାନ୍ସରର ବିଜୟସୂଚକ ଉପସ୍ଥିତିକୁ ପ୍ରତିନିଧିତ୍ୱ କରୁଛି।
ଉଭୟ ମୋଦି ଏବଂ ନେତାନ୍ୟାହୁ ସେହି ବିଜୟ ସ୍ମାରକୀରେ ପୁଷ୍ପମାଲ୍ୟ ଦେବା ସହ ସେଠାରେ ରହିଥିବା ପରଦର୍ଶକ ଗ୍ରନ୍ଥରେ ଟିପ୍ପଣୀ ଲେଖିଥିଲେ। ‘ଭାରତର ନିସ୍ୱାର୍ଥପର ସେବା ଓ ଉତ୍ସର୍ଗର ପରମ୍ପରାକୁ ପ୍ରତିପାଦନ କରିଥିବା ଭାରତୀୟ ଯବାନଙ୍କୁ ପ୍ରଣାମ ଜଣାଉଛି’ ବୋଲି ମୋଦି ଲେଖିଥିଲେ। ଶହେ ବର୍ଷ ତଳେ ହାଇଫା ସହର ମୁକ୍ତି ପାଇଁ ସେମାନଙ୍କ ବଳିଦାନର ସ୍ମାରକୀ ସ୍ୱରୂପ ଏହି ଛକକୁ ସେହି ସହରର ନାମ ସହ ଯୋଡ଼ାଗଲା। ଏହି ଅବସରରେ ଇସ୍ରାଏଲ ପ୍ରଧାମନମନ୍ତ୍ରୀଙ୍କ ଉପସ୍ଥିତିରେ ସେହି ମହାନ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ମୋଦି ଲେଖିଥିଲେ।