ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଯୁଗ୍ମ ସମ୍ମିଳନୀ; ଅଦାଲତରେ ସ୍ଥାନୀୟ ଭାଷା ରହୁ: ପ୍ରଧାନମନ୍ତ୍ରୀ

‘ଲକ୍ଷ୍ମଣରେଖା’ ପ୍ରତି ସଚେତନ ରୁହ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଅଦାଲତରେ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହନ ମିଳିବା ଉଚିତ। ଆଜି ନୂଆଦିଲ୍ଳୀର ବିଜ୍ଞାନଭବନରେ ଅନୁଷ୍ଠିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଆମର ନ୍ୟାୟିକ ବ୍ୟବସ୍ଥାକୁ ଏପରି ସମର୍ଥ କରିବା ଯେ ଏହା ୨୦୪୭ ବେଳକୁ ଭାରତର ଆଶା-ଆକାଂକ୍ଷା ପୂରଣ କରିବ। ଆମର ଏପରି ନ୍ୟାୟିକ ବ୍ୟବସ୍ଥା ହେବା ଦରକାର ଯେଉଁଠି ସମସ୍ତଙ୍କ ନିମନ୍ତେ ତ୍ୱରିତ, ସହଜ ନ୍ୟାୟ ଉପଲବ୍ଧ ହେଉଥିବ। ଅଦାଲତରେ ସ୍ଥାନୀୟ ଭାଷାର ବ୍ୟବହାର ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସାକାର ହେଲେ ଦେଶବାସୀ ବିଚାର ବିଭାଗୀୟ ପଦ୍ଧତିରେ ନିଜକୁ ସଂଶ୍ଳିଷ୍ଟ କରିବା ସହ ସେମାନଙ୍କର ଏହା ଉପରେ ଆସ୍ଥା ମଧ୍ୟ ବୃଦ୍ଧି ପାଇବ। ବିଚାର ବିଭାଗୀୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଅଧିକାର ମଧ୍ୟ ସାବ୍ୟସ୍ତ ହେବ।

ପ୍ରଧାନମନ୍ତ୍ରୀ ଆଇନରେ ଥିବା ଜଟିଳତା ଓ ଅପ୍ରଚଳିତ ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ ୨୦୧୫ରେ ସରକାର ଅପ୍ରାସଙ୍ଗିକ ହୋଇପଡିଥିବା ୧୮୦୦ ଆଇନକୁ ଚିହ୍ନଟ କରିଥିଲେ। ସେଥିମଧ୍ୟରୁ ୧୪୫୦ଟି ଆଇନକୁ ଖାରଜ କରିଦେଇଥିଲେ। କିନ୍ତୁ ରାଜ୍ୟଗୁଡ଼ିକ ମାତ୍ର ୭୫ଟି ଏପରି ଆଇନକୁ ଉଠାଇଛନ୍ତି। ସେମାନେ ଅବଶିଷ୍ଟ ଅପ୍ରାସଙ୍ଗିକ ଆଇନଗୁଡ଼ିକୁ ମଧ୍ୟ ହଟାଇଦେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ସମ୍ମିଳନୀରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି ରମଣା, ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, କେନ୍ଦ୍ରମନ୍ତ୍ରୀ କିରେନ ରିଜିଜ୍ଜୁ ଓ ପ୍ରଫେସର ଏସ୍‌ପି ସିଂ ବାଘେଲ, ସୁପ୍ରିମ୍‌କୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

‘ଲକ୍ଷ୍ମଣରେଖା’ ପ୍ରତି ସଚେତନ ରୁହ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଯୁଗ୍ମ ସମ୍ମିଳନୀରେ ଆଜି ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି କହିଥିଲେ ଯେ ସମ୍ବିଧାନ ରାଷ୍ଟ୍ରର ତିନୋଟି ଅଙ୍ଗ (ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା)କୁ ଅଲଗା ଅଲଗା ‌କ୍ଷମତା ଦେଇଛି। ପ୍ରତ୍ୟେକେ ନିଜ ନିଜର କାର୍ଯ୍ୟ ସମ୍ପାଦନ କଲାବେଳେ ସେହି କ୍ଷମତାର ପରିସର ବା ‘ଲକ୍ଷ୍ମଣରେଖା’ ବିଷୟରେ ସଚେତନ ରହିବା ସହ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କଲେ ଆମ ଗଣତନ୍ତ୍ର ସୁଦୃଢ଼ ହେବ। ପ୍ରଧାନବିଚାରପତି ପୁଣି କହିଲେ ଯେ ଗତ ସ୍ବାଧୀନତା ଦିବସରେ ‘ଲେଜିସ୍‌ଲେଟିଭ୍ ସ୍କ୍ରୁଟିନି’ ଉପରେ ସେ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହାର ଭୁଲ୍ ବ୍ୟାଖ୍ୟା କରାଯାଇଥିଲା। ସେ ବ୍ୟବସ୍ଥାପିକା ଉପରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ। କିନ୍ତୁ କୌଣସି ଆଇନ ଗୃହୀତ ହେବା ପୂର୍ବରୁ ସେ ନେଇ ବିହୀତ ଯାଞ୍ଚ ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ଜଷ୍ଟିସ୍ ରମଣା ଏଭଳି ମନ୍ତବ୍ୟ ରଖିଥିଲେ। ଏହାସହିତ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ଗୁଡ଼ିକର ଦୁରୁପଯୋଗ କରାଯାଉଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ପିଆଇଏଲ୍‌ଗୁଡ଼ିକ ଏବେ ପର୍ସନାଲ ଇଣ୍ଟରେଷ୍ଟ ଲିଟିଗେସନ (ବ୍ୟକ୍ତିସ୍ବାର୍ଥ ମାମଲା)ରେ ପରିଣତ ହେଲାଣି। କୋର୍ଟ ଏସବୁ ମାମଲାର ବିଚାର କଲାବେଳେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ କହିଥିଲେ। ଜଷ୍ଟିସ୍ ରମଣା ପୁଣି କହିଥିଲେ ଯେ, ସରକାରଗୁଡ଼ିକ କୋର୍ଟ ରାୟକୁ ଜାଣିଶୁଣି କାର୍ଯ୍ୟକାରୀ ନ କରିବା ସୁସ୍ଥ ଗଣତନ୍ତ୍ର ପାଇଁ ଭଲ ନୁହେଁ।

ସମ୍ବନ୍ଧିତ ଖବର