ସିଓଲ: ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ବିରୋଧରେ ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ସୋମବାର ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ଦକ୍ଷିଣ କୋରିଆର ଜେଜୁ ଦ୍ବୀପରେ ତିନି ଦେଶର ବାୟୁ ଏବଂ ନୌସେନା ପକ୍ଷରୁ  ମିଳିତ ସମରାଭ୍ୟାସ ହୋଇଛି। ‘ଫ୍ରିଡମ୍ ଏଜ’ ନାମରେ ଆରମ୍ଭ ଏହି ସମରାଭ୍ୟାସକୁ ସେମାନେ ସବୁଠୁ ଅତ୍ୟାଧୁନିକ ବୋଲି କହିଛନ୍ତି। ଉତ୍ତର କୋରିଆର ବର୍ଦ୍ଧିତ ପରମାଣୁ ଓ କ୍ଷେପଣାସ୍ତ୍ର ବିପଦ ମଧ୍ୟରେ ଏହି ତ୍ରିପାକ୍ଷିକ ସହଯୋଗ ବାୟୁ, ସମୁଦ୍ର ତଥା ସାଇବର କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ ବୋଲି ଦକ୍ଷିଣ  କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

Advertisment

ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ ଅନୁଯାୟୀ,  ‘ଫ୍ରିଡମ୍ ଏଜ’ରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା, ଏୟାର-ଡିଫେନ୍ସ ଡ୍ରିଲ, ଡାକ୍ତରୀ ସ୍ଥାନାନ୍ତର, ସାମୁଦ୍ରିକ ଅପରେସନ ପ୍ରଶିକ୍ଷଣକୁ ସାମିଲ କରାଯାଇଛି। ଉତ୍ତର କୋରିଆ ପକ୍ଷରୁ ଏହି ସମରାଭ୍ୟାସକୁ ସମାଲୋଚନା କରାଯାଇଛି। କ୍ଷମତା ପ୍ରଦର୍ଶନ ପାଇଁ କରାଯାଇଥିବା ଏହି ସମରାଭ୍ୟାସ ସେମାନଙ୍କ ପାଇଁ କୁପରିଣାମ ଆଣିବ ବୋଲି ଉତ୍ତର କୋରିଆର ମୁଖ୍ୟ ନେତା କିମ୍ ଜୋଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜଙ୍ଗ କହିଛନ୍ତି। ଆମେରିକା ଏବଂ ଦକ୍ଷିଣ କୋରିଆ ପକ୍ଷରୁ ହୋଇଥିବା ଆଇରନ୍ ମେସ୍ ଟେବୁଲଟପ୍ ଏକ୍ସରସାଇଜକୁ ବି ସେ ନିନ୍ଦା କରିଛନ୍ତି। ଏହାଦ୍ବାରା ଦକ୍ଷିଣ କୋରିଆ ସେନା ସହିତ ଆମେରିକା ଏହାର ପରମାଣୁ କ୍ଷମତାର ସମ୍ମିଶ୍ରଣ ଘଟାଇଛି। ତେବେ ଆମେରିକା ଏବଂ ଦକ୍ଷିଣ କୋରିଆ ପକ୍ଷରୁ ଏହି ସମରାଭ୍ୟାସ ସମ୍ପର୍କରେ କିଛି କୁହାଯାଇନାହିଁ।