ବିସ୍ଫୋରଣ କରି ଟନେଲ ନିର୍ମାଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଜୋଜିଲା ଟନେଲର କାର୍ଯ୍ୟ | ପ୍ରଥମ ବିସ୍ଫୋଟକ ବିସ୍ଫୋରଣ କରି କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଆଜି ୧୪.୧୫ କିଲୋମିଟର ଲମ୍ବା ଜୋଜିଲା ଟନେଲ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି | ଏହି ଟନେଲର ନିର୍ମାଣ ପରେ ଶ୍ରୀନଗର ଉପତ୍ୟକା ଏବଂ ଲେହ ମଧ୍ୟରେ ବର୍ଷ ସାରା ଯୋଗାଯୋଗ ସମ୍ଭବ ହୋଇପାରିବ | ଏହି ପ୍ରକଳ୍ପ ବହୁ ଗୁରୁତ୍ୱପୂର୍ଣ୍ଣ | କାରଣ ଶ୍ରୀନଗର-କାର୍ଗିଲ-ଲେହ ଜାତୀୟ ରାଜପଥରେ ଜୋଜିଲା ପାସ୍ ୧୧,୫୭୮ ଫୁଟ ଉଚ୍ଚରେ ରହିଛି ଏବଂ ପ୍ରବଳ ତୁଷାରପାତ ହେତୁ ଶୀତଦିନେ ଏହା ବନ୍ଦ ରହିଥାଏ | ଯାନବାହନ ଚଳାଚଳ ଦୃଷ୍ଟିରୁ ଏହା ଦୁନିଆର ସବୁଠାରୁ ବିପଜ୍ଜନକ ମାର୍ଗ ମଧ୍ୟରୁ ଗୋଟିଏ ହୋଇଥିବାବେଳେ ବର୍ଷକ ମଧ୍ୟରେ କେବଳ ୬ ମାସ ହିଁ ଏଠାରେ ଗାଡି ଚଳାଚଳ କରିପାରିଥାଏ |

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏହା ଏସିଆର ସବୁଠୁ ଲମ୍ବା ଟନେଲ ଏବଂ ଲଦାଖ, ଲେହ ଓ କାଶ୍ମୀରର ଅର୍ଥନୀତିରେ ପରିବର୍ତ୍ତନ ଆଣିବାରେ ନିଶ୍ଚିତ ଭାବେ ବ୍ୟବହୃତ ହେବ। ଏହି ପ୍ରକଳ୍ପ ଅଧୀନରେ ପ୍ରାୟ ୩୦୦୦ ମିଟର ଉଚ୍ଚତାରେ ଜୋଜିଲା ପାସ୍ ତଳେ ୧୪.୧୫ କିଲୋମିଟର ଲମ୍ୱା ଟନେଲ୍ ନିର୍ମାଣ ହେବ | ଯେତେବେଳେ ଏହି ଟନେଲ୍ ସମାପ୍ତ ହେବ, ଏହା ଆଧୁନିକ ଭାରତ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହେବ |


ଲଦାଖ, ଗିଲଗିଟ ଏବଂ ବାଲତିସ୍ତାନ ଅଞ୍ଚଳରେ ବ୍ୟାପକ ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଶ୍ରୀନଗର-କାର୍ଗିଲ-ଲେହ ଦେଇ ବିପଦମୁକ୍ତ ଯାତ୍ରା କରିହେବ | ଏହା କେବଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବ ନାହିଁ ବରଂ ବର୍ତ୍ତମାନ ୩ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଯାତ୍ରାକୁ ୧୫ ମିନିଟରେ ହ୍ରାସ କରିବ | ମେ ୨୦୧୮ ରେ ୬୮୦୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର