ମାନିଲା : ଦକ୍ଷିଣ-ପୂର୍ବ ଦେଶ ଫିଲିପାଇନ୍ସର ଏକ ଗୀର୍ଜାରେ ଆଜି ବୋମା ବିସ୍ଫୋରଣ ହେବାରୁ ପ୍ରାୟ ୨୦ ଜଣ ନିହତ ହେବା ସହ ପ୍ରାୟ ୮୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାର ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହି ବିସ୍ଫୋରଣଟି ଫିଲିପାଇନ୍ସର ଜୋଲୋ ଦ୍ବୀପରେ ଥିବା ରୋମାନ କାଥୋଲିକ କାଥେଡ୍ରାଲରେ ହୋଇଥିବା ଜଣାଯାଇଛି, ଯେଉଁଠାରେ ବିଗତ କିଛି ବର୍ଷହେଲା ଇସ୍ଲାମୀୟ ଆତଙ୍କବାଦୀଙ୍କ ପ୍ରାଦୂର୍ଭାବ ରହିଆସିଛି ।
ଆଜି ରବିବାର ଦିନ ଥିବାରୁ ସକାଳେ ( ସ୍ଥାନୀୟ ସମୟ ସକାଳ ୮ଟା ୪୫ମିନିଟ) ସାପ୍ତାହିକ ପ୍ରାର୍ଥନା ପାଇଁ ଖ୍ରୀଷ୍ଟିଆନ ସମୁଦାୟର ଲୋକମାନେ ବହୁସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ବୋମା ବିସ୍ଫୋରଣ ହୋଇଥିଲା । ତେବେ ଏହି ଖବର ପାଇଁ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିବା ପରେ ହଠାତ ପାର୍କିଂରେ ଥିବା ଏକ କାରରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି ଇସ୍ଲାମୀୟ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିବାବେଳେ ଏହା ପଛରେ ଆବୁ ସୟାଫ ଗୋଷ୍ଠୀର ହାତ ରହିଥିବା ସଂଦେହ କରାଯାଉଛି ।