ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହର ପ୍ରତି ବିପଦ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ସମଗ୍ର ସହର ଖାଲି କରିବା ପାଇଁ ଯୋଜନା ଚାଲିଛି। ସହରରରେ ମୋଟ ୪୫୦୦ କୋଠାରୁ ପ୍ରାୟ ୭୦୦ କୋଠାରେ ବଡ଼ ଫାଟ ଦେଖିବାକୁ ମିଳିଛି ଏବଂ ୪୦ ପ୍ରତିଶତ ରାସ୍ତାରେ ମଧ୍ୟ ଫାଟ ଆସିଛି। ବଡ଼ ବିପଦ ଆଶଙ୍କା କରି ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି ଏବଂ ଆଜି ସରକାରୀ ଭାବେ ଯୋଶୀମଠକୁ ‘ଭୂସ୍ଖଳନ ପ୍ରବଣ’ ଅଂଚଳ ଘୋଷଣା କରାଯାଇଛି। ଯେଉଁ ଅଞ୍ଚଳରେ ମାଟି ଦବିବା ପ୍ରକ୍ରିୟା ଅଧିକ ରହିଛି ଏବଂ ଅଧିକ ଫାଟ ଦେଖିବାକୁ ମିଳିଛି ସେଠାରୁ ଲୋକଙ୍କୁ ଖାଲି କରାଯିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

Advertisment

ଦୁଇ ଦିନ ମଧ୍ୟରେ ଶତାଧିକ ପରିବାରକୁ ଅନ୍ୟତ୍ର ଥଇଥାନ କରାଯାଇଥିବା ବେଳେ ୧୫ ଶହରୁ ଅଧିକ ଲୋକ ରିଲିଫ୍‌ ଶିବିରରେ ଆଶ୍ରୟ ନେଇଛନ୍ତି। ଆବଶ୍ୟକ ସ୍ଥଳେ ସମସ୍ତ ବାସିନ୍ଦା (ପ୍ରାୟ ୨୦ ହଜାର) ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ହେବ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଘରକୁ ଘର ବୁଲି କ୍ଷତି ଆକଳନ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରୁଛନ୍ତି। ପରିସ୍ଥିତି ଉପରେ କେନ୍ଦ୍ର ସରକାର ଅହରହ ନଜର ରଖିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ର ପିଏମ୍‌ଓରେ କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟଙ୍କ ସହିତ ଯୋଶୀମଠ ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଯୋଶୀମଠର ଜିଲ୍ଲା ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ସମଗ୍ର ଯୋଶୀମଠ ଅଞ୍ଚଳ ଏବେ ବସବାସ ପାଇଁ ଅନୁପଯୁକ୍ତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସହରର ଅର୍ଦ୍ଧାଧିକ ଅଞ୍ଚଳରେ ଘର, ରାସ୍ତା, ଅଫିସ୍‌, ପଡ଼ିଆ, ହେଟେଲ, ମନ୍ଦିର, ଶିକ୍ଷାନୁଷ୍ଠାନରେ ବଡ଼ ଫାଟ ଦେଖିବାକୁ ମିଳିଛି ଏବଂ କେତେବେଳେ କିଭଳି ସ୍ଥିତି ଆସିବ କହିହେଉନାହିଁ। ଏଭଳି ବିପଜ୍ଜନକ ସ୍ଥିତିକୁ ଦେଖି ସହରରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅଟକାଇ ଦିଆଯାଇଛି। ଜଳବିଦ୍ୟୁତ ପ୍ରକଳ୍ପ କାମ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି।