ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠ ଅଞ୍ଚଳକୁ ଆଜି ଚାମୋଲି ଜିଲ୍ଲା ପ୍ରଶାସନ ‘ବିପର୍ଯ୍ୟୟ ପ୍ରବଣ’ ଅଞ୍ଚଳ ଘୋଷଣା କରିଛନ୍ତି। ଚାମୋଲି ଜିଲ୍ଲାପାଳ ହିମାଂଶୁ ଖୁରାନା କହିଛନ୍ତି, ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟର ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସାରିଛନ୍ତି। ଯୋଶୀମଠ ଏବଂ ନିକଟସ୍ଥ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ପ୍ରଭାବିତ ପରିବାରକୁ ଶୁଖିଲା ରାସନ୍ କିଟ୍ ବଣ୍ଟାଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ କିଛି ଅଞ୍ଚଳରେ ଥିବା ଘରକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହି ଘର ଗୁଡ଼ିକରେ ଛକି ମରାଯାଇଛି ଏବଂ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
‘ଡେଞ୍ଜର’, ‘ବଫର୍’ ଏବଂ ‘ ସମ୍ପୂର୍ଣ୍ଣ ସୁରକ୍ଷିତ’ ଜୋନ୍ରେ ଯୋଶୀମଠ ବିଭକ୍ତ
ସେନା, ଆଇଟିବିପି ପ୍ରତିଷ୍ଠାନରେ ବି ଫାଟ
ଇତି ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଯୋଶୀମଠକୁ ସୁରକ୍ଷା ଦେବାପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ଥିତିକୁ ଭଲଭାବେ ଅନୁ୍ଧ୍ୟାନ କରୁଛନ୍ତି ଏବଂ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏନ୍ଡିଏମ୍ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଯୋଶୀମଠ ସ୍ଥିତି ସଂକ୍ରାନ୍ତରେ ଏକ ରିପୋର୍ଟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଛି। ବିପର୍ଯ୍ୟୟ ପରିଚାଳନା ସଚିବ ରଂଜିତ ସିହ୍ନାଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଯୋଶୀମଠରେ ସର୍ଭେ କରିବାପରେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଯୋଶୀମଠରେ ସ୍ଥିତି ଅଧ୍ୟୟନ କରି ରିପୋର୍ଟ ଦାଖଲ କରିବାପାଇଁ କେନ୍ଦ୍ର ସରକାର ୭ ପୃଥକ୍ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି।
ଯୋଶୀମଠରେ ଆଜି ୬୦୦ରୁ ଅଧିକ ଘରୁ ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା ଏବଂ ଆଇଟିବିପି ପ୍ରତିଷ୍ଠାନର ନିମ୍ନ ଅଂଶରେ ବି ଫାଟ ଦେଖାଦେଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
ଇତି ମଧ୍ୟରେ ବର୍ଡର ମ୍ୟାନେଜମେଣ୍ଟ ସଚିବଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ଟିମ୍ ଡେରାଡୁନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି। କେତେ ଘର ପ୍ରଭାବିତ ହୋଇଛି ସେନେଇ ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ସର୍ବେକ୍ଷଣ କରାଯାଉଛି। ଯୋଶୀମଠର ୩୦ ପ୍ରତିଶତ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସେହିପରି ବିଶେଷଜ୍ଞ କମିଟି ଏସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ପିଏମ୍ଓ ଅଫିସ୍ରେ ଦାଖଲ କରାଯିବ। ଯୋଶୀମଠକୁ ୩ ଭାଗରେ ଯଥା ‘ଡେଞ୍ଜର’, ‘ବଫର୍’ ଏବଂ ‘ ସମ୍ପୂର୍ଣ୍ଣ ସୁରକ୍ଷିତ’ ବିଭକ୍ତ କରାଯାଇଛି।