ନୂଆଦିଲ୍ଲୀ: ଯୋଶୀମଠ ସହର ମାତ୍ର ୧୨ ଦିନରେ ୫.୪ ସେମି ଦବିଛି ବୋଲି ଇସ୍ରୋ ରିପୋର୍ଟ କହୁଛି। ଇସ୍ରୋର ଏହି ରିପୋର୍ଟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ଏହା ଭାଇରାଲ୍‌ ହେଉଛି। ତେବେ ସରକାର ଯୋଶୀମଠ ଦବିବା ସଂକ୍ରାନ୍ତ କୌଣସି ତଥ୍ୟ ଗଣମାଧ୍ୟମ ଏବଂ ସୋ‌ସିଆଲ ମିଡିଆରେ ପ୍ରଘଟ ନକରିବାପାଇଁ ସମସ୍ତ ସରକାରୀ ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଡିଏମ୍‌ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ପକ୍ଷରୁ ଏକ ଚିଠି ଜାରି କରି ଏହି ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଡିଏମ୍‌ଏ କହିଛି, ବିଭିନ୍ନ ସରକାରୀ ଅନୁଷ୍ଠାନ ଯୋଶୀମଠ ଦବିବା ସଂକ୍ରାନ୍ତ ତଥ୍ୟ ସୋସିଆଲ ମିଡିଆ ମଞ୍ଚରେ ଦେଉଛନ୍ତି ଏବଂ ସେମାନେ ନିଜେ ଗଣମାଧ୍ୟମରେ ସ୍ଥିତିକୁ ଯେଉଁଭଳି ବର୍ଣ୍ଣନା କରୁଛନ୍ତି ତାହା ଦ୍ବନ୍ଦ୍ବ ସୃଷ୍ଟି କରୁଛି।

Advertisment

ଏହା କେବଳ ଯୋଶୀମଠରେ ପ୍ରଭାବିତ ବାସିନ୍ଦାଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ାଉନି ବରଂ ଏହା ଦେଶର ନାଗରିକଙ୍କ ମଧ୍ୟରେ ବି ଦ୍ବନ୍ଦ୍ବ ବଢ଼ାଉଛି ବୋଲି ଏନ୍‌ଡିଏମ୍‌ଏ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି। ଯୋଶୀମଠ ସ୍ଥିତି ଅଧ୍ୟୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଛି। ତେବେ ବିଶେଷଜ୍ଞ ଗୋଷ୍ଠୀ ଚୂଡ଼ାନ୍ତ ରିପୋର୍ଟ ନଦେବା ପର୍ଯ୍ୟନ୍ତ ଇସ୍ରୋ ସମେତ ସମସ୍ତ ସରକାରୀ ଅନୁଷ୍ଠାନ ଯୋଶୀମଠ ଦବିବା ସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରଘଟ ନକରିବାପାଇଁ ଏନ୍‌ଡିଏମ୍‌ଏ କହିଛି।

ଇତି ମଧ୍ୟରେ ସରକାର ଏହି ଅଙ୍କୁଶ ଲଗାଇବାପରେ ଯୋଶୀମଠ ଦବିବା ସଂକ୍ରାନ୍ତ ଇସ୍ରୋ ରିପୋର୍ଟ ସରକାରୀ ୱେବସାଇଟ୍‌ରୁ ଗାଏବ ହୋଇଯାଇଛି। ଏପ୍ରିଲ ୨୦୨୨ରୁ ଯୋଶୀମଠରେ ମାଟି ଦବୁଥିବା ସଂକ୍ରାନ୍ତ ଇସ୍ରୋ-ଏନ୍‌ଆରଏସି ରିପୋର୍ଟ ସରକାରୀ ୱେବସାଇଟ୍‌ରେ ନାହିଁ। କେବଳ ଗୋଟିଏ କ୍ଲିକ୍‌‌ରେ ଏହା ୟୁଜରଙ୍କୁ ‘ନଟ୍‌ ଫାଉଣ୍ଡ୍‌’ ପେଜ୍‌କୁ ନେଇଯାଉଛି। ପିଡିଏଫ୍‌ ରିପୋର୍ଟ ଲିଙ୍କ୍‌ ମଧ୍ୟ କାମ କରୁନାହିଁ।