ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଲେଖିବାରୁ ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଲେଖିବା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ପାକିସ୍ତାନର ଜଣେ ସାମ୍ବାଦିକ ଇମ୍ରାନ ସରକାରଙ୍କ ବିରୋଧରେ ଫେସବୁକରେ ପୋଷ୍ଟ କରିବାରୁ ତାଙ୍କୁ ଲାହୋରର ଏକ ଅଦାଲତ ତିନିଦିନ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି | ଫେସବୁକରେ ଦେଶ ବିରୋଧୀ ପୋଷ୍ଟ ସେୟାର କରିବା ଅଭିଯୋଗରେ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଏକ ଉର୍ଦ୍ଦୁ ଖବରକାଗଜର ସାମ୍ବାଦିକ ଅଜହରୁଲ ହକ ବାହୀଦ ସୋସିଆଲ ମିଡିଆରେ ଇମ୍ରାନ ସରକାରଙ୍କର କିଛି ଦୁର୍ନୀତିକୁ ନେଇ ପୋଷ୍ଟ କରିଥିଲେ |

ଏହାକୁ ନେଇ ପାକିସ୍ତାନର ଏଫଆଇଏ( ଫେଡ଼େରାଲ ଇନଭେସ୍ଟିଗେସନ ଏଜେନ୍ସି) ପକ୍ଷରୁ ମକଦ୍ଦମା ରୁଜୁ କରି ଗିରଫ କରାଯାଇଥିଲା | ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ଏହି ପୋଷ୍ଟ ବାବଦରେ ଅଧିକ ଅନୁସନ୍ଧାନ କରିବା ପାଇଁ ଏଫଆଇଏ କୋର୍ଟଙ୍କୁ ତିନିଦିନିଆ ରିମାଣ୍ଡ ମାଗିଥିଲେ | ଏହା ପରେ କୋର୍ଟ ଗିରଫ ସାମ୍ବାଦିକଙ୍କୁ ତିନିଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି | ଆସନ୍ତା ୨୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି |

image source- aajtak

ତେବେ ସାମ୍ବାଦିକ ଅଜହରୁଲ ହକ ବାହୀଦ ସୋସିଆଲ ମିଡିଆରେ କେଉଁ ସବୁ ପୋଷ୍ଟ କରିଥିଲେ ସେ ନେଇ କୌଣସି ଖୁଲାସା କରାଯାଇନାହିଁ | ଅନ୍ୟପଟେ ଏହି ଘଟଣାକୁ ନେଇ ଲାହୋର ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି | ତୁରନ୍ତ ଅଜହରୁଲ ହକ ବାହୀଦଙ୍କୁ ମୁକ୍ତ ନ କରାଗଲେ ଦେଶ ବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଲାହୋର ପ୍ରେସ କ୍ଲବ ଚେତାବନୀ ଦେଇଛି |

ସମ୍ବନ୍ଧିତ ଖବର