କେନିଆରେ ପାକିସ୍ତାନ ସାମ୍ବାଦିକଙ୍କୁ ଗୁଳି ମାରି ହତ୍ୟା

ଲାହୋର: ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କୁ କେନିଆରେ ଗୁଳି ମାରି ହତ୍ୟା କରାଯାଇଛି | ଆଜି ତାଙ୍କ ପତ୍ନୀ ଜାଭେରିଆ ସିଦ୍ଦିକି ଏହି ଘଟଣା ବାବଦରେ ସ୍ପଷ୍ଟ କରିଥିଲେ ବି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏବାବଦରେ ନିଶ୍ଚିତ କରିନାହାଁନ୍ତି। ତେବେ କେନିଆର ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଭୁଲବଶତଃ ଅର୍ଶଦ ସରିଫଙ୍କୁ ଗୁଳିମାଡ କରାଯାଇଛି। ପାକିସ୍ତାନର ଗଣମାଧ୍ୟମ ଡନ୍ ଅନୁଯାୟୀ ସୋମବାର ଦିନ ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କ ପତ୍ନୀ ଜାଭେରିଆ ସିଦ୍ଦିକି ଟ୍ୱିଟ୍ କରି କହିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ କେନିଆରେ ଗୁଳି କରାଯାଇଥିଲା।

ଅନ୍ୟପକ୍ଷରେ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଅସୀମ ଇଫ୍ଟିଖର କହିଛନ୍ତି ଯେ କେନିଆରେ ପାକିସ୍ତାନ ଉଚ୍ଚ ଆୟୋଗର ଅଧିକାରୀଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଉଭୟ ଦେଶର ଅଧିକାରୀ ସାମ୍ବାଦିକଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି। କିଛି ପାକିସ୍ତାନୀ ଗଣମାଧ୍ୟମ ପ୍ରଥମେ କହିଥିଲେ ଯେ ସରିଫଙ୍କୁ ଗୁଳି କରାଯାଇଛି, କିନ୍ତୁ ପରେ ସେ କହିଛନ୍ତି ଯେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ପରେ ସରିଫଙ୍କ ପତ୍ନୀ ଟୁଇଟ୍ କରି କହିଛନ୍ତି ଯେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସେପଟେ କେନିଆ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ସରିଫଙ୍କ ଉପରେ ଭୁଲବଶତଃ ପୁଲିସ ଗୁଳି ଚଳାଇଥିଲା। ରବିବାର ରାତିରେ ନାଇରୋବି-ମାଗାଡି ରାଜପଥରେ ଏହି ଘଟଣା ଘଟିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର