ସାମ୍ବାଦିକ ହତ୍ୟା ମାମଲା: ରାମ ରହିମ ସମେତ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଂଚକୁଳାରେ ଅଭୂତପୂର୍ବ ସୁରକ୍ଷା

ପଂଚକୁଳା: ହରିୟାଣାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ପଂଚକୁଳା ସିବିଆଇ ଅଦାଲତ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାମ ରହିମ ସହିତ ଅନ୍ୟ ୩ ଅଭିଯୁକ୍ତ ଡେରା ମ୍ୟାନେଜର କୃଷ୍ଣଲାଲ, ନିର୍ମଳ ସିଂହ ଏବଂ କୁଳଦୀପ୍‌ ସିଂଙ୍କୁ ମଧ୍ୟ ଆଜୀବନ ଦେଲ୍‌ ଦଣ୍ଡାଦେଶ ମିଳିଛି। ଦଣ୍ଡାଦେଶ ଶୁଣାଣି ବେଳେ ରାମ ରହିମ ଓ ଅନ୍ୟ ଅଭିଯୁକ୍ତ ମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ। ଏହି ମାମଲା ଅତ୍ୟନ୍ତ ଗମ୍ଭୀର ଥିବାରୁ ପଂଚକୁଳାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ‌ଗ୍ରହଣ କରାଯାଇଥିଲା। କୋର୍ଟ ଏବଂ ଜେଲ୍‌ ଅଂଚଳରେ ଧାରା ୧୪୪ ଲାଗୁ ହୋଇଥିଲା। ରାମରହିମ ଏବେ ରୋହତକ ‌ଜେଲ୍‌ରେ ଥିବା ବେଳେ ଅନ୍ୟ ୩ ଜଣ ଅମ୍ବାଲା ଜେଲ୍‌ରେ ଅଛନ୍ତି। ସ୍ବତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଜଗଦୀପ ସିଂହ ୧୬ ବର୍ଷ ପୁରୁଣା ଏହି ହତ୍ୟା ମାମଲାର ଦଣ୍ଡାଦେଶ ଘୋଷଣା କରିଥିଲେ। ୨୦୦୨ରେ ସାମ୍ବାଦିକ ରାମଚନ୍ଦ୍ର ଡେରା ସଂପର୍କିତ ଖବର ପ୍ରକାଶ କରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିବିଆଇ ଏହି ମାମଲାରେ ୨୦୦୭ରେ ଚାର୍ଜସିଟ୍‌ ଦାଖଲ କରିଥିଲା ଏବଂ ଏଥିରେ ରାମ ରହିମଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଥିଲା। ଅଦାଲତ ଦ୍ବାରା ଗତ ୧୧ ତାରିଖ ଦିନ ରାମ ରହିମ ଓ ଅନ୍ୟ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯୌନ ଉତ୍ପୀଡ଼ନ ମାମଲାରେ ରାମ ରହିମଙ୍କ ବିରୋଧରେ ରାୟ ପ୍ରକାଶ ବେଳେ ଯେଭଳି ବଡ଼ ଧରଣର ହିଂସା ହୋଇଥିଲା, ସେଭଳି ସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। ଗଣମାଧ୍ୟମକୁ ଆଜି ଅଦାଲତ ପରିସରକୁ ଛଡ଼ା ଯାଇନଥିଲା। ସିବିଆଇ ଅଦାଲତ ପରିସରରେ ପ୍ରାୟ ୧ ହଜାର ପୁଲିସ କର୍ମୀ ମୁତୟନ ହୋଇଥିବା ବେଳେ ପଂଚକୁଳାର ସମସ୍ତ ସଂଯୋଗକାରୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ରାମ ରହିମଙ୍କ ସମର୍ଥକମାନଙ୍କ ସମାବେଶ ଉପରେ ବି କଠୋର କଟକଣା ଲଗାଯାଇଥିଲା।

ସମ୍ବନ୍ଧିତ ଖବର