କଶ୍ମୀର ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର : ଶ୍ରୀନଗରରେ ଆଜି ବରିଷ୍ଠ ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ସେ ‘ରାଇଜିଂ କଶ୍ମୀର’ ଖବର କାଗଜର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଆଜି ସନ୍ଧ୍ୟାରେ ସୁଜାତ୍‌ ଅଫିସରୁ ବାହାରିବା ପରେ ଆତଙ୍କବାଦୀମାନ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ତାଙ୍କୁ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୦୦ ମସିହାରେ ସୁଜାତ୍‌ଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ପୁଲିସ୍‌ ସୁରକ୍ଷା ପ୍ରଦାନ କରାଯାଇଥିଲା।

ମିଳିଥିବା ଖବର ମୁତାବକ, ଲାଲଚୌକର ସିଟି ସେଣ୍ଟରରେ ଥିବା ପ୍ରେସ୍‌ ଏନକ୍ଳେଭ୍‌ର କାର୍ଯ୍ୟାଳୟରୁ ବାହାରି ଏକ ଇଫତାର ପାର୍ଟିରେ ଯୋଗଦେବା ପାଇଁ ସୁଜାତ୍‌ (୪୮) ଯାଉଥିଲେ। ପ୍ରେସ୍‌ କଲୋନୀ ନିକଟରେ ତାଙ୍କ କାର୍‌ ଉପରକୁ ୩ ଜଣ ଯୁବକ ଆଖିବୁଜା ଗୁଳିମାଡ଼ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ କାର୍‌ ଡ୍ରାଇଭର ଓ ବ୍ୟକ୍ତିଗତ ସଚିବ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ରମଜାନ ପାଇଁ ସେନା ଅସ୍ତ୍ରବିରତି ପାଳନ କରୁଥିବା ସମୟରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କରାଯିବା ଘଟଣା ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର