ପ୍ରତି ସୂଚନା ପିଛା ଚୀନରୁ ୫୦୦ ଡଲାର ପାଉଥିଲା ରାଜୀବ ଶର୍ମା

ନୂଆଦିଲ୍ଲୀ : ଚୀନକୁ ଭାରତୀୟ ସେନା ସଂପର୍କରେ ଗୋପନୀୟ ଓ ସଂବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ସାମ୍ବାଦିକ ରାଜୀବ ଶର୍ମାକୁ ଜେରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ଦିଲ୍ଲୀ ପୁଲିସ ।

ପୁଲିସ ସୁତ୍ରରୁ ଜଣାପଡ଼ିଛି ଯେ ସେ ପ୍ରତି ସୂଚନା ପାଇଁ ୫୦୦ ଡଲାର ପାଉଥିଲା । ତାକୁ ସୀମାରେ ଭାରତୀୟ ସେନାର ମୁତୟନ, ଯୋଜନା, ଦଲାଇଲାମା ଆଦି ପ୍ରସଙ୍ଗରେ ସୂଚନା ମଗାଯାଉଥିଲା । ସେ ଗତ ଜାନୁଆରି ୨୦୧୯ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ୧୦ଟି କିସ୍ତିରେ ପ୍ରାୟ ୩୦ ଲକ୍ଷ ଟଙ୍କା ଚୀନରୁ ପାଇଛି ।

ଜେରାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ସେ ନେପାଳ ସୀମାରେ ଥିବା ଚୀନର ଏକ ଅଞ୍ଚଳ ଯାଇ ସେଠାରେ ଜର୍ଜ ନାମକ ଜଣେ ଚୀନ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲା । ଜର୍ଜ କିନ୍ତୁ ନିଜକୁ ଏକ କମ୍ପାନିର ଜିଏମ ବୋଲି କହୁଥିଲା । ଏହି କମ୍ପାନିର ଦିଲ୍ଲୀରେ ଥିବା ଶାଖା କମ୍ପାନିମାଧ୍ୟମରେ ଟଙ୍କା ପ୍ରଦାନ କରାଯାଉଥିଲା । ସେ ମଧ୍ୟ ଚୀନର ଗ୍ଲୋବାଲ ଟାଇମ୍ସରେ ଏକ ସାପ୍ତାହିକ ସ୍ତମ୍ଭ ଲେଖୁଥିଲା ।

ଦିଲ୍ଲୀ ପୋଲିସ ଏକ ବିବୃତ୍ତିରେ କହିଛି ଯେ ରାଜୀବ ଶର୍ମା ଚୀନ୍ ଗୁପ୍ତଚରଙ୍କ ନିକଟକୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ, ସେନା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ପଠାଉଥିଲେ । ଚୀନ ମହିଳା କିନ ଓ ନେପାଳି ନାଗରିକ ଶେର ସିଂ ଶର୍ମାଙ୍କୁ ସେଲ କମ୍ପାନିମାନଙ୍କ ମାଧ୍ୟମରେ ଆସିଥିବା ବିପୁଳ ପରିମାଣର ଟଙ୍କା ଯୋଗାଉଥିଲେ । ତାହାର ପ୍ରତିବଦଳରେ ଶର୍ମା ସଂବେଦନଶୀଳ ଓ ଗୋପନୀୟ ସୂଚନା ତାଙ୍କୁ ପ୍ରଦାନ କରୁଥିଲେ ବୋଲି ତଦନ୍ତକାରୀ ଅଧିକାରୀ ତଥା ଦିଲ୍ଲୀ ପୁଲିସର ଡେପୁଟୀ କମିଶନର (ସ୍ବତନ୍ତ୍ର ସେଲ) ସଂଜୀବ ଯାଦବ କହିଛନ୍ତି । ଗିରଫ ବ୍ୟକ୍ତିମାନଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଫୋନ, ଲାପଟପ, ପେନ ଡ୍ରାଇଭ ଓ ଆହୁରି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର