ଆଫଗାନିସ୍ତାନରେ ସାମ୍ବାଦିକଙ୍କୁ ନିର୍ଯାତନା, ହତ୍ୟା ଜାରି

ଅଭିଯୁକ୍ତ ଜେଲ୍‌ରୁ ମୁକୁଳିବା ପରେ ବିଷାଦରେ ଥି‌ଲେ

କାବୁଲ: ତାଲିବାନମାନେ ମାନବାଧିକରକୁ ସମ୍ମାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତା’ ବଦଳରେ ସେମାନେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ହଇରାଣ ହରକତ କରିବା, ନିର୍ଯାତନା ଦେବା ଓ ହତ୍ୟା କରିବା ଭଳି କାର୍ଯ୍ୟ କରି ସେମାନଙ୍କର ସର୍ବନିମ୍ନ ମାନବାଧିକାରକୁ ବି ସମ୍ମାନ ଦେଉ ନ ଥିବା ଦେଖାଯାଉଛି। ବର୍ତ୍ତମାନ ଆଫଗାନିସ୍ତାନରେ ସାମ୍ବାଦିକମାନେ ଭୟଭୀତ ଓ ନିରାଶ ହୋଇପଡ଼ିଛନ୍ତି। ସେମାନେ ୨୦ ବର୍ଷ ଭିତରେ ଦେଶରେ ସାମ୍ବାଦିକତାର ଯେଉଁ ଉତ୍ସାହ-ଉଦ୍ଦୀପନା ଓ ମୂଲ୍ୟବୋଧର ପ୍ରତିଷ୍ଠା କରିଥିଲେ ତାହା ଏବେ ଧୂଳିସାତ୍ ହୋଇଯାଇଛି। ଘରୋଇ ଟିଭି ଚାନେଲଗୁଡ଼ିକରେ ବିଷୟବସ୍ତୁରେ ପରିବର୍ତ୍ତନ ଘଟିଛି। କ୍ରିଟିକାଲ୍ ନ୍ୟୁଜ୍ ବୁଲେଟିନ୍, ରାଜନୈତିକ ବିତର୍କ, ମନୋରଞ୍ଜନ ଓ ସଂଗୀତ କାର୍ଯ୍ୟକ୍ରମ ଏବଂ ବିଦେଶୀ ଡ୍ରାମା ଆଦି ବଦଳରେ ତାଲିବାନମାନେ ଯାହା କହୁଛନ୍ତି ସେଇଆ ପ୍ରଦର୍ଶିତ ହେଉଛି।

ଅଗଷ୍ଟ ପ୍ରଥମ ସପ୍ତାହରେ ଆଫଗାନିସ୍ତାନ ସରକାରଙ୍କ କାବୁଲସ୍ଥିତ ଇନ୍‌ଫର୍ମେସନ ମିଡ଼ିଆ ସେଣ୍ଟରର ନିର୍ଦ୍ଦେଶକ ଦାୱା ଖାନ୍ ମେନାପାଲଙ୍କୁ ହତ୍ୟା କରାଯାଇଥିଲା। ତା’ର ଦୁଇଦିନ ପରେ ତାଲିବାନ ଯୋଦ୍ଧାଙ୍କ ଦ୍ବାରା ପାକଟିଆ ଘାଗ ରେଡିଓର ସାମ୍ବାଦିକ ତୁଫାନ ଓମାରଙ୍କୁ ହତ୍ୟା କରାଗଲା। କାବୁଲର ପତନ ପରେ ପରେ ତାଲିବାନମାନେ ସାମ୍ବାଦିକମାନଙ୍କୁ ଖୋଜି ଖୋଜି ବାହାର କଲେ, ଅନେକଙ୍କୁ ନିର୍ଯାତନା ଦେଲେ ଓ କେତେକଙ୍କୁ ମାରିଦେଲେ ବୋଲି ଅଲ୍ ଆରବୀୟା ପୋଷ୍ଟରେ ପ୍ରକାଶ ପାଇଛି। ଅନେକ ସ୍ଥାନରେ ତାଲିବାନମାନେ ସାମ୍ବାଦିକଙ୍କ କ୍ୟାମେରା ଆଦି ଛଡ଼ାଇନେବା ଓ ତାଙ୍କୁ ଲୁଟ୍ କରିବାର ଖବର ମଧ୍ୟ ପ୍ରକାଶ ପାଇଛି। ଯେଉଁ ସାମ୍ବାଦିକମାନେ ତାଲିବାନ-ବିରୋଧୀ ବିକ୍ଷୋଭ ଖବର ପ୍ରସାରଣ କରୁଛନ୍ତି, ସେମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଉଛି।

ସମ୍ବନ୍ଧିତ ଖବର