ଫସିଲେ ଅମିତ ଶାହ: ଜୟ ଦାଏର କଲେ ଅପରାଧିକ ମାନହାନି ମାମଲା

ଅମିତ ଶାହଙ୍କ ଇସ୍ତଫା ମାଗିଲା କଂଗ୍ରେସ

ନୂଆଦିଲ୍ଲୀ : ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ୨୦୧୫-୧୬ରେ  ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ ଖବର ପ୍ରକାଶ କରିଥିବା   ଓ୍ଵବ୍‌ସାଇଟ୍‌ ‘ଦ ଓୟାର’ ବିରୋଧରେ ଜୟ ଶହେ କୋଟି ଟଙ୍କାର  ଅପରାଧିକ ମାନହାନି ମକଦ୍ଦମା ଦାଏର କରିଛନ୍ତି।   ଆଜି ବିଜେପିର ତୁଙ୍ଗ ନେତାମାନେ ଜୟ ଶାହଙ୍କ ସମ୍ପତ୍ତି ପ୍ରସଙ୍ଗରେ ନିରବ ରହିଥିବା ବେଳେ ବିରୋଧୀ ଦଳ ନେତାମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ୍‌ କରି  କଂଗ୍ରେସ ଆଜି କଡ଼ା ସମାଲୋଚନା କରିଛି।   ଦିଲ୍ଲୀ, ଜୟପୁର ଏବଂ ଲକ୍ଷ୍ନୌରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ପ୍ରଧାନମନ୍ତ୍ରୀ ମୋଦି ଏହି ମାମଲାରେ ମୁହଁ ଖୋଲିବା  ଏବଂ ଅମିତ ଶାହ ତୁରନ୍ତ ଇସ୍ତଫା ଦେବାକୁ ଦାବି କରାଯାଇଛି ।   ଆଜି ଜୟ ଶାହ ଅହମଦାବାଦର ଅଦାଲତରେ ୧୦୦ କୋଟି ଟଙ୍କାର ଅପରାଧିକ ମାନହାନି ମକଦ୍ଦମା ଦାଏର କରିବା ପରେ ଗୁଜରାଟ ରାଜନୀତି ମଧ୍ୟ ସରଗରମ ହୋଇଛି। କଂଗ୍ରେସ ଏହାକୁ ଏକ ବଡ଼ ନିର୍ବାଚନୀ ଇସ୍ୟୁ ଭାବେ ଗ୍ରହଣ କରିବାକୁ ସଜବାଜ ହେଉଛି। ତେବେ  ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ ଅମିତ ଶାହଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ଏଭଳି ମନଗଢ଼ା ଖବର ପ୍ରକାଶ ପାଇଛି।

ତେଣୁ ଏହାକୁ ଅଦାଲତରେ ଚ୍ୟାଲେଂଜ କରାଯିବ। ଜୟ ମଧ୍ୟ କହିଛନ୍ତି ଯେ ଏପରି ଖବର ପ୍ରଚାର ଦ୍ୱାରା ସେ ପିତାଙ୍କ ରାଜନୈତିକ ପ୍ରତିଷ୍ଠାର ଫାଇଦା ନେଇଥିବା ଅପପ୍ରଚାର ଚଳାଯାଇଛି। ତାଙ୍କ କମ୍ପାନିର ବ୍ୟବସାୟରେ  କୌଣସି ଅନୈତିକ ଉପାୟ ଅବଲମ୍ବନ କରାଯାଇନଥିବା ସେ କହିଛନ୍ତି। ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି ଯେ ଗୁଜରାଟ ନିର୍ବାଚନ ପୂର୍ବରୁ ହତାଶ କଂଗ୍ରେସ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ମିଥ୍ୟା ଅଭିଯୋଗକୁ ଦୋହରାଇବାରେ ଲାଗିଛି।  ୨୦୧୪-୧୫ରେ ଜୟଙ୍କ କମ୍ପାନି ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ପ୍ରା. ଲି. ମାତ୍ର ୫୦ ହଜାର ଟଙ୍କାର କାରବାର କରିଥିବା ବେଳେ ୨୦୧୫-୧୬ ବେଳକୁ ଏହା ୧୬,୦୦୦ ଗୁଣା ବୃଦ୍ଧି ପାଇ ସାଢ଼େ ୮୦ କୋଟିରେ ପହଞ୍ଚଥିବା ଦ ଓୟାର ଦାବି କରିଛି।  ଜୟଙ୍କ କମ୍ପାନି ମୁଖ୍ୟତଃ ସେୟାର କାରବାର  ଆରମ୍ଭ କରିଥିଲେ ଏବଂ କିଛି ଦିନ ପରେ   ପବନ ଶକ୍ତି କାରବାରରେ ପ୍ରବେଶ କରିଥିଲେ। ରେଜିଷ୍ଟ୍ରାର ଅଫ୍‌ କମ୍ପାନିଜ୍‌(ଆର୍‌ଓସି)ର କାଗଜପତ୍ରରୁ ଏହି ତଥ୍ୟ ମିଳିଥିବା  ସଂପର୍କରେ ଏହି  େଓ୍ଵବ୍‌ସାଇଟ୍‌ରେ ଖବର ପ୍ରକାଶିତ ହୋଇଛି। ଜୟଙ୍କର ଏଭଳି ଅହେତୁକ ସମ୍ପତ୍ତି ବୃଦ୍ଧି ଉପରେ କଂଗ୍ରେସ ଆପତ୍ତି ଉଠାଇ ସଂପୃକ୍ତ କମ୍ପାନିର କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ କରିବାକୁ ଦାବି କରିବାରେ ବିଜେପି ଅଧ୍ୟକ୍ଷ ଶାହଙ୍କ ଅଡ଼ୁଆ ବଢ଼ିଛି।

ସମ୍ବନ୍ଧିତ ଖବର