ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଆଜି ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ସର୍ବାଧିକ ୧୨୫ ଭୋଟ୍ ମିଳିଥିବା ବେଳେ ଏଥିରେ ବିଜେଡିର ୯ ଜଣ ସାଂସଦଙ୍କ ସମର୍ଥନ ରହିଛି। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରୁ ଭୁବନେଶ୍ୱର ଫେରିବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ବୋଲି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ତେଣୁ ଆଜି ସକାଳ ୯ଟା ବେଳେ ବିଜେଡିର ସମସ୍ତ ୯ ଜଣ ରାଜ୍ୟସଭା ସାଂସଦ ସଂସଦ ଭବନରେ ଥିବା ଦଳର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନିଷ୍ପତ୍ତି ସଂପର୍କରେ ସମସ୍ତ ସାଂସଦଙ୍କୁ ଜଣାଇଥିଲେ। ଏହାଛଡ଼ା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଖୋଲା ଭୋଟିଂର ବ୍ୟବସ୍ଥା ଥିବାରୁ ଦଳ ପକ୍ଷରୁ ଏହାର ସାଂସଦଙ୍କ ନିମନ୍ତେ କୌଣସି ପ୍ରକାର ହ୍ଵିପ୍ ଜାରି କରାଯାଇ ନଥିଲା ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ସକାଳ ୯ଟା ୩୦ ମିନିଟ୍ରେ ବିଜେଡି କାର୍ଯ୍ୟାଳୟକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା ବିଜେଡିର ସାଂସଦମାନଙ୍କୁ ସାକ୍ଷାତ କରିଥିଲେ। ପାଖାପାଖି ଘଣ୍ଟାଏ ଧରି କେନ୍ଦ୍ରମନ୍ତ୍ରୀ ନଡ୍ଡା ବ୍ୟକ୍ତିଗତ ଭାବେ ବିଜେଡିର ସମସ୍ତ ସାଂସଦଙ୍କ ସହିତ କଥା ହୋଇ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଥିଲେ। ଏହାପରେ ବିଜେଡିର ସମସ୍ତ ସାଂସଦ ରାଜ୍ୟସଭାକୁ ଚାଲିଯାଇଥିଲେ। ମନ୍ତ୍ରୀ ନଡ୍ଡାଙ୍କ ବ୍ୟତୀତ ଏନ୍ଡିଏର ଅନ୍ୟ କେତେକ ବରିଷ୍ଠ ମନ୍ତ୍ରୀ ମଧ୍ୟ ବିଜେଡିର ସହଯୋଗ ଲୋଡ଼ିଥିଲେ। ତେବେ ଆଜିର ଭୋଟିଂରେ ବିଜେଡିର ସମର୍ଥନ ଯୋଗୁ ଏନ୍ଡିଏ ପ୍ରାର୍ଥୀ ହରିବଂଶଙ୍କୁ ସର୍ବାଧିକ ୧୨୫ ଭୋଟ୍ ମିଳିଥିଲା ଏବଂ ସେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଖକୁ ଯାଇ ହରିବଂଶଙ୍କ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/jp-nadda.jpg)