ନୂଆଦିଲ୍ଲୀ: ରାଜ୍ୟସଭାରେ ‘ଅପରେସନ ସିନ୍ଦୂର’କୁ ନେଇ ଚର୍ଚ୍ଚା ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଂଗ୍ରେସକୁ ସିଧାସଳଖ ଭାବେ ଟାଗେର୍ଟ କରି କଟାକ୍ଷ କରିଥିଲେ।

Advertisment

ଜେପି ନଡ୍ଡା ରାଜ୍ୟସଭାରେ ଦେଇଥିବା ଭାଷଣରେ କହିଛନ୍ତି, ‘୨୦୧୪ରେ ମୋଦୀ ସରକାର ଆସିବା ପରେ ଅମାବାସ୍ୟା ହଟିଲା ଆମେ ପୂର୍ଣ୍ଣିମା ଅଭିମୁଖେ ଆଗେଇଲୁ। ୨୦୧୪ ପରେ ଜମ୍ମୁ କଶ୍ମୀରକୁ ଛାଡ଼ିଦେଲେ ଦେଶରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ହୋଇଗଲା। ନାଗରିକ ଓ ଯବାନଙ୍କୁ କରାଯାଉଥିବା ହତ୍ୟା ମଧ୍ୟ ହ୍ରାସ ପାଇଲା।

ପୂର୍ବ ସରକାର ଥିବା ବେଳେ ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ବାରାଣାସୀ, ବେଙ୍ଗାଲୁରୁ ଓ ଦିଲ୍ଲୀ ଭଳି ସ୍ଥାନମାନଙ୍କରେ ଆତଙ୍କବାଦୀ ଆକ୍ରମଣ ଓ ବୋମା ବିସ୍ଫୋରଣ ହେଉଥିଲା। ୨୦୦୪ରୁ ୨୦୧୪ ମଧ୍ୟରେ ଦିଲ୍ଲୀରେ ତିନି-ତିନିଥର ବୋମା ବିସ୍ଫୋରଣ ହୋଇଛି। 

ସେହିପରି ଜେପି ନଡ୍ଡା ଏପ୍ରିଲ ୨୨ରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଉଲ୍ଲେଖ କରି କହିଛନ୍ତି, ‘ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ବିହାରର ମଧୁବନୀର ପଞ୍ଚାୟତି ରାଜ କାର୍ଯ୍ୟକ୍ରମକୁ ଯାଇଥିଲେ। ଏହି ସମୟରେ ବିରୋଧୀ ଅଭିଯୋଗ କରି କହିଥିଲେ କି ମୋଦୀ ନିର୍ବାଚନ ପ୍ରଚାର ପାଇଁ ସେଠାକୁ ଯାଇଛନ୍ତି।

ଏହି ସମୟରେ ମୋଦୀ କହିଥିଲେ ଆମେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏମିତି ପ୍ରତିଶୋଧ ନେବୁ ଯାହା କେବେ ଆତଙ୍କବାଦୀମାନେ କଳ୍ପନା ବି କରି ନଥିବେ। ଏହାପରେ ଅର୍ଥାତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆକ୍ରମଣର ୧୩ଦିନ ପରେ ଅପରେସନ ସିନ୍ଦୂର ଜରିଆରେ ଭାରତ ୨୨ ମିନିଟରେ ପ୍ରତିଶୋଧ ନେଇଥିଲା।’

ଭାରତୀୟ ସେନା ପାକିସ୍ତାନର ବାହାଓ୍ବଲପୁର, କୋଟଲି ଓ ମୁଜାଫରାବାଦରେ ଥିବା ୯ଟି ଆତଙ୍କୀ ଠିକଣା ଉପରେ ଆକ୍ରମଣ କରି ସବୁକିଛି ଧ୍ବଂସ କରି ଦେଇଥିଲା।  ଏନେଇ ଭାରତୀୟ ସେନା ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ଅପରେସନ ସିନ୍ଦୂର' ପୋଷ୍ଟ କରି ସ୍ପଷ୍ଟ କରିଛି।