ନୂଆଦିଲ୍ଲୀ: ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପି। ଜେପି ନଡ୍ଡା ଏବେ ଆଉ ବର୍ଷେ ବିଜେପିର ସଭାପତି ହୋଇ ରହିବେ। ଦଳ ପକ୍ଷରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏନେଇ ପୂର୍ବରୁ ଅନୁମାନ କରାଯାଉଥିବା ବେଳେ ଦଳ ଆଜି ଏ ଘୋଷଣା କରିଛି। ସବୁଠୁ ବଡ କଥା ହେଉଛି ନଡ୍ଡା ୨୦୨୪ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେବେ ଏବଂ ତାଙ୍କ ନେତୃତ୍ୱରେ ଦଳ ଲୋକସଭା ନିର୍ବାଚନ ଲଢ଼ିବ।
ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜେପି ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ୨୦୨୪ଲୋକସଭା ନିର୍ବାଚନରେ ବହୁତ ଭଲ ପ୍ରଦର୍ଶନ କରିବ। ୨୦୧୯ ତୁଳନାରେ ବିଜେପି ଅଧିକ ସିଟ୍ ଜିତିବ।
ତେବେ ୨୦୧୯ରେ ଜେପି ନଡ୍ଡା, ଅମିତ ଶାହାଙ୍କଠାରୁ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଯେତେବେଳେ ଦଳ ବହୁମତ ହାସଲ କରି କ୍ଷମତାକୁ ଆସିଲା ସେତେବେଳେ ଅମିତ ଶାହାଙ୍କୁ କେନ୍ଦ୍ର ରାଜନୀତିକୁ ଅଣାଯାଇଥିଲା। ତାଙ୍କୁ ଗୃହମନ୍ତ୍ରୀ କରାଯାଇଥିଲା। ଏଥି ସହ ଜେପି ନଡ୍ଡାଙ୍କୁ ଦଳର ସଭାପତି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦଳର ସଭାପତି ଭାବେ ଜେପି ନଡ୍ଡା ନିଜ ଦାୟିତ୍ବ ଭଲ ଭାବେ ତୁଲାଇଥିବାରୁ ଏବେ ତାଙ୍କର କାର୍ଯ୍ୟକାଳ ବଢ଼ାଯାଇଛି।