ଜାନୁଆରି ୧୯ ତାରିଖରେ ବିଧିବଦ୍ଧଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କରିବେ ଜେ ପି ନଡ୍ଡା!

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳ ‘ବିଜେପି’ର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେ ପି ନଡ୍ଡା ଚଳିତ ମାସ ୧୯ ତାରିଖରେ ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସଂପ୍ରତି ଜେ ପି ନଡ୍ଡା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।

ଜେ ପି ନଡ୍ଡା ଛାତ୍ରାବସ୍ଥାରେ ରାଜନୀତି କ୍ଷେତ୍ରକୁ ଆସିଥିଲେ । ସେ ପ୍ରଥମ ଥର ପାଇଁ ୧୯୮୩ ମସିହାରେ ହିମାଚଳ ପ୍ରଦେଶର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଭାବେ ବି କାର୍ଯ୍ୟ କରିଥିଲେ ।

image source–jansatta

ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ଗତ ବର୍ଷ ଜାନୁଆରି ମାସରେ ଶେଷ ହୋଇଯାଇଥିଲା, କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହାଙ୍କୁ ପଦରେ ରହିବା ପାଇଁ କୁହାଯାଇଥିଲା । ଗତସାଧାରଣ ନିର୍ବାଚନ ପରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହାପରେ ଜେପି ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେପି ନଡ୍ଡାଙ୍କୁ ଜାନୁଆରି ୧୯ ତାରିଖରେ ଦାୟିତ୍ୱ ମିଳିପାରେ । ସୂଚନା ଅନୁସାରେ ଜାନୁଆରି୧୯ ତାରିଖ ସୁଦ୍ଧା ବିଜେପିର ଅଧିକାଂଶ ରାଜ୍ୟ ଶାଖାର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଜେପି ନଡ୍ଡା ବିଜେପିର ଏକାଦଶ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର