ପଶ୍ଚିମବଙ୍ଗ ବିଜେପିରେ ଅସନ୍ତୋଷ ନେଇ ଆଜି ଦିଲ୍ଲୀପ ଘୋଷଙ୍କ ସହ ଆଲୋଚନା କରିବେ ଜେପି ନଡ୍ଡା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପିରେ ଚାଲିଥିବା ମତଭେଦକୁ ନେଇ ଆଜି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ମଧ୍ୟରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ | ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ରାଜ୍ୟ ବିଜେପି ଭିତରେ ଅସନ୍ତୋଷର ସ୍ୱର ତୀବ୍ର ହୋଇଛି। ମୁକୁଲ ରାୟଙ୍କ ଭଳି ଆଉ କିଛି ନେତା ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇ ବିଜେପି ଭିତରେ ଥିବା କନ୍ଦଳକୁ ସାମ୍ନାକୁ ଆଣିଛନ୍ତି |

ଏଭଳି ପରିସ୍ଥିତିରେ ଘୋଷଙ୍କ ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯଦିଓ ଘୋଷ ଏହି ବୈଠକ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ ରାଜ୍ୟ ବିଜେପିର ସାଂଗଠନିକ ଢାଞ୍ଚାରେ ଅନେକ ପରିବର୍ତ୍ତନ ହୋଇପାରେ।

ସୂଚନା ଥାଉ କି ନିକଟରେ ସାଂସଦ ସୋଉମିତ୍ର ଖାନ, ରାଜୀବ ବାନାର୍ଜୀ ଏବଂ ବାବୁଲ ସୁପ୍ରିଓଙ୍କ ଭଳି ନେତାମାନେ ଦଳର ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ନିକଟରେ ସୋଉମିତ୍ର ଖାନ ଯୁବମୋର୍ଚ୍ଚା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଓ ଶୁଭେନ୍ଦୁ ଅଧିକାରୀଙ୍କୁ କଡା ସମାଲୋଚନା କରିଥିଲେ | ଅବଶ୍ୟ କିଛି ସମୟ ପରେ ସେ ନିଜ ଇସ୍ତଫା ଫେରାଇନେଇଥିଲେ |

ସମ୍ବନ୍ଧିତ ଖବର