ରୁଷିଛନ୍ତି ଜୁଏଲ୍‌, ମନେଇବା ପାଇଁ ପ୍ରୟାସ ଜାରି!

ନୂଆଦିଲ୍ଲୀ : ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥବା ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅନେକ ନୂଆ ମୁହଁକୁ ଦେଖିବାକୁ ମିଳିଛି। କିନ୍ତୁ କେତେକ ପୁରୁଖା ନେତାମାନେ ବାଦ୍‌ ପଡ଼ି ଯାଇଛନ୍ତି। ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦୀ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀପଦ ମିଳିଥିବାବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। କିନ୍ତୁ ମୋଦୀ ସରକାରଙ୍କ ପ୍ରଥମ ପାଳିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ବରିଷ୍ଠ ନେତା ଜୁଏଲ ଓରାମ ମୋଦୀ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ତେବେ ଏ ନେଇ ଉପରକୁ କିଛି ପ୍ରତିକ୍ରିୟା ପ୍ରକାଶ ନ କଲେ ମଧ୍ୟ ଜୁଏଲ ଏହାକୁ ନେଇ ସନ୍ତୁଷ୍ଟ ନ ଥିବାକୁ କୁହାଯାଉଛି। ତେଣୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପଙ୍କଠୁ ନେଇ ରାଜ୍ୟ ବିଜେପିର ଅନ୍ୟ ବଡ଼ ନେତାମାନେ ମଧ୍ୟ ଜୁଏଲଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ତାଙ୍କୁ ମନେଇବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି।

କେଉଁ କାରଣରୁ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଗଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନଥିଲେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ‌ଯେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ଯୋଗୁଁ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଗଲା। ଏତଦ୍‌ବ୍ୟତୀତ ଜୁଏଲ ଓରାମ୍‌ଙ୍କ ୫ ବର୍ଷର ରିପୋର୍ଟ କାର୍ଡରେ ମଧ୍ୟ ତାଙ୍କ ପ୍ରଦର୍ଶନ ଏତେଟା ସନ୍ତୋଷଜନକ ନଥିବା କୁହାଯାଉଛି। ଦେଶର ଜନଜାତି ବହୁଳ ବ୍ଲକ୍‌ମାନଙ୍କରେ କାର୍ଯ୍ୟକାରୀ କରାଯାଇଥିବା ବନବନ୍ଧୁ କଲ୍ୟାଣ ଯୋଜନାକୁ ମଧ୍ୟ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଯୋଗୁଁ ବନ୍ଦ କରିଦିଆଯିବା ପରେ ଜୁଏଲ ଓରାମଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବା‌ଚୀ ଲାଗିଥିଲା।

ଅନ୍ୟପକ୍ଷରେ ଜୁଏଲଙ୍କୁ ମନ୍ତ୍ରିପଦ ନ ମିଳିବା ପରେ ଗତକାଲିଠାରୁ ଜୁଏଲ ଓରାମଙ୍କ ୧, ମୋତିଲାଲ ନେହରୁ ମାର୍ଗସ୍ଥିତ ସରକାରୀ ବାଭସବନରେ ଅନେକ ନେତା ଓ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ହଜଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଫେରିବା ପରେ ଜୁଏଲ ଓରାମଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଜୁଏଲ୍‌ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସଂଗୀତା ସିଂହଦେଓ, ବିଜେପି ନେତା ମନ‌ମୋନହ ସାମଲ ଓ କେଭି ସିଂହଦେଓ ତଥ‌ା ଅନ୍ୟ କିଛି ନେତାମାନେ ମଧ୍ୟ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଆଲୋଚନ‌ାର ବିଷୟବସ୍ତୁ କ’ଣ ତାହା ଜଣାପଡ଼ିନି। ଜୁଏଲ୍‌ଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବା ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ଜୁଏଲ ଓରାମ ଦଳର ବରି‌ଷ୍ଠ ନେତା। ତାଙ୍କୁ ଯେଉଁ ଦାୟିତ୍ବ ମିଳିବ ତାହା ସେ ତୁଲାଇବେ। ଜୁଏଲ ମଧ୍ୟ ତାଙ୍କୁ ମନ୍ତ୍ରିପଦ ନ ମିଳିବା ନେଇ କୌଣସି ପ୍ରତିକ୍ରିୟା‌ ପ୍ରକାଶ କରିନାହାନ୍ତି, କିନ୍ତୁ ଆଗକୁ ତାଙ୍କୁ ଦଳ ଦ୍ବାରା ଯାହା ବି ଦାୟିତ୍ବ ମିଳିବ ତାହା ସେ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର