ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରକୁ ଏକ ବଡ ଝଟକା ଦେଇଛନ୍ତି | କୋର୍ଟ ଜୁବେରର ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ପୋଲିସ ୨୦୧୮ରେ ଟ୍ୱିଟରରେ ଆପତ୍ତିଜନକ ପୋଷ୍ଟ ଲେଖିଥିବାରୁ ଜୁନ୍ ୨୭ରେ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଗିରଫ କରିଥିଲା। ଗତ ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜୁବେରଙ୍କୁ ପ୍ରଥମେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ (ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ପୋଷ୍ଟ) ଏବଂ ୨୯୫ (କୌଣସି ଧର୍ମକୁ ଅପମାନିତ କରିବା ଉଦ୍ଦେଶ୍ୟରେ ପୂଜାସ୍ଥଳୀକୁ ଅପବିତ୍ର କରିବା ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପରେ ତାଙ୍କ ବିରୋଧରେ ୨୯୫ଏ (ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ମନମୁଖୀ ତଥା ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା) ଅଧୀନରେ ଏକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିଲା ।
ଦିଲ୍ଲୀ ପୁଲିସ ଜୁବୈର୍ଙ୍କ ନାମରେ ପ୍ରମାଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ର ଓ ବିଦେଶୀ ଅନୁଦାନ ଗ୍ରହଣ ଭଳି ଅଭିଯୋଗ ଆଣି ‘ଆଇପିସି’ର ଧାରା ୨୦୧, ଧାରା ୧୨୦ବି ଏବଂ ‘ଏଫ୍ସିଆର୍ଏ’ର ଧାରା ୩୫କୁ ଆଧାର କରି ମାମଲା ରୁଜୁ କରିଛି। ସୂଚନା ଥାଉ କି ଟୁଇଟ୍ କରିଥିବା ପୋଷ୍ଟଗୁଡ଼ିକରୁ ଗୋଟିକରେ ଧାର୍ମିକ ଭାବାବେଗକୁ ବାଧିବା ଭଳି ବିଷୟବସ୍ତୁ ଥିବାରୁ ଜୁନ୍ ୨୭ରେ ଦିଲ୍ଲୀ ପୁଲିସ ମହମ୍ମଦ ଜୁବେରକୁ ଗିରଫ କରିଥିଲା। ସେଦିନ ନିମ୍ନ ଅଦାଲତ ତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିଲା।
ହାଜତରେ ଗୋଟିଏ ଦିନର ପଚରାଉଚରା ଶେଷ ହେବା ପରେ ତାଙ୍କୁ ପୁଣି ଅଦାଲତରେ ହାଜର କରାଯିବାରୁ ‘ଚିଫ୍ ମେଟ୍ରୋପିଲିଟାନ୍ ମାଜିଷ୍ଟ୍ରେଟ୍’ ତାଙ୍କର ହାଜତ ମିଆଦ ଆଉ ୪ ଦିନ ବୃଦ୍ଧି କରିଥିଲେ। ଜଣେ ଟୁଇଟର୍ ବ୍ୟବହାରକାରୀଙ୍କ ଅଭିଯୋଗ ଆଧାରରେ ଜୁବେର ନାମରେ ମାମଲା ରୁଜୁ କରାଯାଇଥିଲା ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/xaaaaa.jpg)