ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ ରହିଥିବା କଲେଜିୟମ୍ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ସେଥିରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟସ କମିସନ (ଏନ୍‌ଜେଏସି) ଆକ୍ଟ ଆଣିଥିଲେ ଯାହାକୁ ସୁପ୍ରିମ୍‌କୋର୍ଟ ଅସାମ୍ବିଧାନିକ କହି ଖାରଜ କରିଦେଇଥିଲେ। ଏହା ଉପରେ ପାର୍ଲାମେଣ୍ଟ ଆଜିଯାଏ ନିରବ ରହିଥିବା ବେଳେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦ୍ବିତୀୟବାର କହିଛନ୍ତି ଯେ ପାର୍ଲାମେଣ୍ଟ ଯେଉଁ ଆଇନ ପାସ୍ କରିଥିଲା ସେଥି‌ରେ ଜନସାଧାରଣଙ୍କ ଇଚ୍ଛା ପ୍ରତିଫଳିତ ହୋଇଥିଲା। ସୁପ୍ରିମ୍‌କୋର୍ଟ ଏହାକୁ ନାକଚ କରିଦେବା ଯୁକ୍ତିଯୁକ୍ତ ନ ଥିଲା। ସାରା ବିଶ୍ବରେ ଏପରି ଘଟଣା ବିରଳ ବୋଲି କହିଛନ୍ତି ଧନଖଡ଼।

Advertisment

ସମ୍ବିଧାନର ବ୍ୟବସ୍ଥା ଉପରେ ଉଲ୍ଲେଖ କରି ଧନଖଡ଼ କହିଲେ ଯେ, ଯେତେବେଳେ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଇନଗତ ପ୍ରଶ୍ନ ଉଠେ ସେତେବେଳେ ସୁପ୍ରିମ୍‌କୋର୍ଟ ଏହା ଉପରେ ତର୍ଜମା କରିପାରିବେ। କିନ୍ତୁ ପାର୍ଲାମେଣ୍ଟ ତିଆରି କରୁଥିବା ଆଇନ ଉପରେ ନୁହେଁ। ଦିଲ୍ଲୀଠାରେ ଅନୁଷ୍ଠିତ ଏଲ୍‌ଏମ୍‌ ସିଂଘଭି ସ୍ମାରକୀ ବକ୍ତୃତାରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ଧନଖଡ଼ ଏହା କହିଥିଲେ। ଧନଖଡ଼ କହିଥିଲେ ଯେ, ସମ୍ବିଧାନର ମୁଖବନ୍ଧରେ ଅଛି - ପାର୍ଲାମେଣ୍ଟ ଜନସାଧାରଣଙ୍କ ଇଚ୍ଛାକୁ ପ୍ରତିଫଳିତ କରେ। ଅର୍ଥାତ୍ ଜନସାଧାରଣଙ୍କ ମତ ଓ ସେମାନଙ୍କ ପ୍ରଜ୍ଞାରେ ରହିଛି ସମସ୍ତ କ୍ଷମତା। ଧନଖଡ଼ ଏନ୍‌ଜେଏସି ଆକ୍ଟ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ୨୦୧୫-୧୬ରେ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ଆଇନ ଉପରେ ଆଲୋଚନା କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ଲୋକସଭା ଏହା ସପକ୍ଷରେ ମତ ଦେଇଥିଲେ। ରାଜ୍ୟସଭାରେ ମଧ୍ୟ କେବଳ ଜଣେ ଭୋଟ ଦେଇ ନ ଥିବା ବେଳେ ବାକି ସମସ୍ତେ ଏହି ଆଇନ ସପକ୍ଷରେ ଭୋଟ ଦେଇଥିଲେ।

ଜନସାଧାରଣଙ୍କ ମତ ସାମ୍ବିଧାନିକ ବ୍ୟବସ୍ଥାରେ ରୂପାନ୍ତରିତ ହୋଇଥିଲା। ଜନସାଧାରଣଙ୍କ କ୍ଷମତା ଯାହା ଏକ ବୈଧ ମଞ୍ଚ ମାଧ୍ୟମରେ ପ୍ରକାଶିତ ହୋଇଥିଲା, ସେହି କ୍ଷମତାକୁ ନାକଚ କରିଦିଆଗଲା। ସାରା ବିଶ୍ବରେ ଏପରି ଘଟଣା କେଉଁଠି ଘଟିଥିବାର ଜଣାନାହିଁ। ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ଦେବା ପାଇଁ ରହିଥିବା କଲେଜିୟମ୍ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ତାକୁ ଉଠାଇଦେଇ ନୂଆ ବ୍ୟବସ୍ଥାର ପ୍ରଚଳନ କରିବା ପାଇଁ ଏନ୍‌ଜେଏସି ଆଇନରେ ବ୍ୟବସ୍ଥା ଥିଲା। ମାତ୍ର ସୁପ୍ରିମ୍‌କୋର୍ଟ ଏହାକୁ ଅସାମ୍ବିଧାନିକ କହି ଖାରଜ କରିଦେଇଥିଲେ। ଧନଖଡ଼ କହିଥିଲେ- ଏଠି ଯେଉଁମାନେ ବସିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ବିଚାରବିଭାଗୀୟ ଉଚ୍ଚ ବର୍ଗର (ଜୁଡିସିଆଲ ଇଲାଇଟ୍ କ୍ଲାସ୍‌ର), ବିଚାରଶୀଳ ଓ ବୁଦ୍ଧିଜୀବୀ ଲୋକ ଅଛନ୍ତି। ମୋତେ କୁହନ୍ତୁ ସାରା ପୃଥିବୀରେ ଏମିତି କେଉଁଠି ଏକ ସାମ୍ବିଧାନିକ ବ୍ୟବସ୍ଥାକୁ ଅଗ୍ରାହ୍ୟ କରିଦିଆଯାଇଛି?

ନଭେମ୍ବର ୨୬ ସମ୍ବିଧାନ ଦିବସରେ ମଧ୍ୟ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଅନୁରୂପ ମତ ପ୍ରକାଶ କରିଥିଲେ। ସେ ପୁଣି କହିଥିଲେ ଯେ ସୁପ୍ରିମ୍‌କୋର୍ଟ ପାର୍ଲାମେଣ୍ଟ ଦ୍ବାରା ଗୃହୀତ ଏକ ଆଇନକୁ ନାକଚ କରିଦେବା ପରେ ପାର୍ଲାମେଣ୍ଟରେ ସାମନ୍ୟତମ ଗୁଞ୍ଜରଣ ବି ଶୁଭିଲା ନାହିଁ, ଯାହା ଆଶ୍ଚର୍ଯ୍ୟଜନକ ଏବଂ ଏହା ଏକ ସାଂଘାତିକ ବ୍ୟାପାର। ଆଇନର ଜଣେ ବିନମ୍ର ଛାତ୍ର ଭାବରେ ମୁଁ ପଚାରୁଛି, ପାର୍ଲାମେଣ୍ଟର ସାର୍ବଭୌମତ୍ବକୁ କ’ଣ ସାଲିସ କରାଯାଇପାରେ? ପୂର୍ବ ପାର୍ଲାମେଣ୍ଟ ଯାହା କରିଛନ୍ତି, ପରବର୍ତ୍ତୀ ପାର୍ଲାମେଣ୍ଟ କ’ଣ ତାକୁ ମାନିନେବାକୁ ବାଧ୍ୟ? ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭିତରେ ସମନ୍ବୟ ରହିବା ଗଣତନ୍ତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଧନଖଡ଼ କହିଥିଲେ।