ବାଳକକୁ ଯୌନ ଉତ୍ପୀଡ଼ନ ଦେଇ ବିଚାରପତି ଗିରଫ

ଜୟପୁର: ରାଜସ୍ଥାନର ଭରତପୁରରେ ଜଣେ ବିଚାରପତି ୧୪ ବର୍ଷୀୟ ବାଳକକୁ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜୟପୁରଠାରେ ବିଚାରପତିଙ୍କୁ ଦୁଇ ଦିନ ଧରି ପଚରାଉଚରା କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଆଇପିସିର ଧାରା ୩୭୭ ଏବଂ ପୋକ୍ସୋ ଆଇନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ଭରତପୁର ସ୍ବତନ୍ତ୍ର ଦୁର୍ନୀତି ନିରୋଧୀ କୋର୍ଟର ବିଚାରପତିଙ୍କ ବିରୋଧରେ ସଂପୃକ୍ତ ବାଳକଙ୍କ ମା’ ଗତ ରବିବାର ଅଭିଯୋଗ ଆଣିଥିଲେ। ଏହାପରେ ବିଚାରପତିଙ୍କୁ ନିଲମ୍ବିତ କରାଯାଇଥିଲା।

ବାଳକର ମା’ ଅଭିଯୋଗ କରିଛନ୍ତି ଯେ, ମାମଲା ପ୍ରତ୍ୟାହାର କରିନେବା ପାଇଁ ତାଙ୍କୁ ଧମକ ଦିଆଯିବା ସହିତ ତାଙ୍କ ଉପରେ ଚାପ ପକାଯାଉଛି। ଏକ ଟେନିସ କୋର୍ଟରେ ବିଚାରପତି ତାଙ୍କ ପୁଅକୁ ଭେଟି ଗତମାସରେ ତା ସହ ସାଥୀ ହୋଇଥିଲେ। ଏହାପରେ ତାକୁ ପ୍ରଲୋଭିତ କରି ତାଙ୍କ ଘରକୁ ନେଇ ଯୌନ ଉତ୍ପୀଡ଼ନ ଦେଇଥିଲେ। ଘଟଣା ପ୍ରଘଟ କରିଲେ ତାଙ୍କୁ ଓ ତାଙ୍କ ଭାଇକୁ ମିଛ ‌ମାମଲାରେ ଛନ୍ଦି ଦେବେ‌ ବୋଲି ଧମକ ଦେଇଥିଲେ।
ବାଳକ ଜଣକ ଘର ଲୋକଙ୍କ ସହିତ ଠିକ୍‌ରେ ନମିଶିବାରୁ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା। ଶେଷରେ ଅକ୍ଟୋବର ୨୮ ତାରିଖରେ ସେ ସବୁକଥା ଘର ଲୋକଙ୍କ ଆଗରେ କହିଥିଲା। ଏପରିକି ତା ପରଦିନ ଯେତେବେଳେ ବାଳକ ଟେନିସ୍ କୋର୍ଟକୁ ଯାଇ ନଥିଲା ସେତେବେଳେ ବିଚାରପତି ତାଙ୍କ ସହଯୋଗୀ, ଜଣେ ପୁଲିସ ଅଧିକାରୀ ଏବଂ ଅନ୍ୟ କିଛି ଲୋକଙ୍କୁ ତାଙ୍କ ଘରକୁ ପଠାଇଥିଲେ।

ପୁଅକୁ ପଠାଯିବ ନାହିଁ ବୋଲି ମା’ ମନା କରିବାରୁ ବିଚାରପତି ସେହିଦିନ ରାତିରେ ତାଙ୍କ ଘରକୁ ଆସିଥିଲେ। ସେ ସବୁକଥା ଜାଣନ୍ତି ବୋଲି ବିଚାରପତିଙ୍କୁ ବାଳକର ମା କହିଥିଲେ। ଏଥିରେ ବିଚାରପତି ଭୟଭୀତ ହୋଇଯାଇଥିଲେ। ପରଦିନ ବିଚାରପତି ଅନ୍ୟ ଜଣଙ୍କ ସହ ମିଶି ତାଙ୍କ ଘରକୁ ଆସି ଏହି କାଣ୍ଡକୁ ସ୍ବୀକାର କରିବା ସହିତ କ୍ଷମା ମାଗିଥିଲେ। କିନ୍ତୁ ସେହିଦିନ ସଂଧ୍ୟାରେ ତାଙ୍କ ଘରକୁ ଜଣେ ପୁଲିସ ଅଧିକାରୀ ଆସି ପରିଣତି ସଂପର୍କରେ ଧମକ ଦେଇଥିଲେ ବୋଲି ଅଭିଯୁକ୍ତ ବାଳକର ମା’ କହିଛନ୍ତି। ଅନ୍ୟପକ୍ଷରେ ବିଚାରପତି ଅଭିଯୋଗକାରୀ ପରିବାରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ଟଙ୍କା ପାଇଁ ବ୍ଲାକମେଲ୍ କରାଯାଉଛି। ରାଜସ୍ଥାନ ହାଇକୋର୍ଟ ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର