ପତ୍ନୀ ଓ ତିନି ଝିଅଙ୍କୁ ହତ୍ୟା କରି ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିଚାରପତି

ନୂଆଦିଲ୍ଲୀ: କୌଣସି ଅପରାଧ ପାଇଁ ଦୋଷୀଙ୍କୁ ବିଚାରପତି ଫାଶୀ ଦଣ୍ଡ ଶୁଣାଇବା କଥା ଆପଣ ଶୁଣିଥିବେ | କିନ୍ତୁ କୌଣସି ବିଚାରପତିଙ୍କୁ ଭୁଲ ପାଇଁ ଫାଶୀ ଦଣ୍ଡ ଦିଆଯିବା କଥା ଆପଣ  ହୁଏତ ଶୁଣି ନ ଥିବେ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ବିଚାରପତିଙ୍କ ବାବଦରେ କହିବୁ ଯାହାଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା | ୧୯୭୬ ମସିହାରେ ଭାରତର ଏହି ବିଚାରପତିଙ୍କୁ ଫାଶୀ ଦିଆଯାଇଥିଲା | ଏହି ବିଚାରପତିଙ୍କ ନାମ ହେଉଛି ଉପେନ୍ଦ୍ର ନାଥ ରାଜଖୋବା | ସେ ଆସାମର ଡୁବେରି ଜିଲ୍ଲା କୋର୍ଟରେ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରୁଥିଲେ | ୧୯୭୦ ମସିହାରେ ଉପେନ୍ଦ୍ର ଚାକିରିରୁ ଅବସର ନେଇଥିଲେ  ଏବଂ ସେହି ସମାନ ବର୍ଷ ସେ ଅପରାଧ ଘଟାଇ ଥିଲେ।

Photo: Premium Time Nigeria

ଅବସର ପରେ  କିନ୍ତୁ ସରକାରୀ ବଙ୍ଗଳା ଖାଲି କରି ନଥିଲେ ବିଚାରପତି | ଏହାରି ମଧ୍ୟରେ ଦିନେ ଅଚାନକ ତାଙ୍କ ପତ୍ନୀଙ୍କ ସହ ତିନି ଝିଅ ନିଖୋଜ ହୋଇଯାଇଥିଲେ | ଏହା ବାବଦରେ ଉପେନ୍ଦ୍ରଙ୍କ ବ୍ୟତୀତ କାହାକୁ ବି ଜଣା ନଥିଲା | ଯିଏ ବି ତାଙ୍କ ପରିବାର ବାବଦରେ ପଚାରିଥିଲେ ବିଭିନ୍ନ ବାହାନା ଦେଇ କଥାକୁ ଏଡ଼ାଇ ଯାଉଥିଲେ | ତେବେ ଉପେନ୍ଦ୍ରଙ୍କ ଶଳା ପୁଲିସ ସହାୟତାରେ ନିଜ ଭଉଣୀଙ୍କୁ ଲଗାତାର ଖୋଜିଥିଲେ | ଏ ବାବଦରେ ବିଚାରପତି ଜଣକ ଜାଣିବା ପରେ କୁଆଡେ ଚାଲିଯାଇଥିଲେ | ମାତ୍ର ତାଙ୍କ  ଶଳା ଖୋଜିବାରୁ କ୍ଷାନ୍ତ ହୋଇ ନଥିଳେ | ଦିନେ ସେ ସୂଚନା ପାଇଥିଲେ ଯେ ଉପେନ୍ଦ୍ର ସିଲିଗୁଡିର ଏକ ହୋଟେଲରେ ରହୁଛନ୍ତି | ଏହା ପରେ କିଛି ପୁଲିସ ଅଧିକାରୀଙ୍କ ସହ ହୋଟେଲରେ ଉପେନ୍ଦ୍ରଙ୍କ ଶଳା ପହଂଚି ନିଜ ଭଉଣୀ ଓ ଭାଣିଜୀମାନଙ୍କ ବାବଦରେ ପ୍ରଶ୍ନ କରିଥିଲେ | ଏହା ପରେ ବିଚାରପତି ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ |

ସେ କହିଥିଲେ ଯେ ପତ୍ନୀ ଓ ଝିଅମାନଙ୍କୁ ହତ୍ୟା କରି ସରକାରୀ ବଙ୍ଗଳାର କୋଠରୀ ମଧ୍ୟରେ ପୋତିଦେଇଛନ୍ତି | ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା | ବର୍ଷେ ଯାଏଁ କେସ ଚାଲିବା ପରେ ନିମ୍ନ ଅଦାଲତ ଉପେନ୍ଦ୍ରଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ | ଏହା ପରେ ଉପେନ୍ଦ୍ର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | କିନ୍ତୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡକୁ କାଏମ ରଖିଥିଲେ | ଏହା ପରେ ରାଜକ୍ଷମା ପାଇଁ ଅପିଲ କରିଥିଲେ ବି ରାଷ୍ଟ୍ରପତି କ୍ଷମା ପ୍ରାର୍ଥନାକୁ ମଞ୍ଜୁରୀ ଦେଇ ନ ଥିଲେ | ୧୯୭୬ ମସିହା ଫେବୃୟାରି ୧୪ରେ ଜୋରହାଟ ଜେଲରେ ଏହି ପୂର୍ବତନ ବିଚାରପତିଙ୍କୁ ଫାଶୀ ଦିଆଯାଇଥିଲା | ବଡ କଥା ଯେ ସେ କାହିଁକି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ କରିଥିଲେ ଶେଷ ସମୟ ଯାଏଁ କାହାକୁ କହି ନଥିଲେ |

ସମ୍ବନ୍ଧିତ ଖବର