ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟ ଗୁରୁତ୍ୱର ସହ ନେଇ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ ରିପୋର୍ଟ ମାଗିଛନ୍ତି। ବେଙ୍ଗାଲୁରୁରେ ଏକ ମୁସଲମାନ ବହୁଳ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ଜଷ୍ଟିସ୍ ବେଦବ୍ୟାସାଚର ଶ୍ରୀଶାନନ୍ଦ କହୁଥିବା ଭିଡିଓକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ନ୍ୟାୟିକ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Advertisment

ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା
ମୁଖ୍ୟ ବିଚାରପତିଙ୍କଠାରୁ ରିପୋର୍ଟ ମାଗିଲେ

ନିକଟରେ ଘରମାଲିକ-ଭଡ଼ାଟିଆ ବିବାଦର ଶୁଣାଣି ସମୟରେ ଜଷ୍ଟିସ୍ ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ମୁସଲମାନ ବହୁଳ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି କହିବା ସହ ଜଣେ ମହିଳା ଓକିଲଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ ଖାନ୍ନା, ଜଷ୍ଟିସ୍ ବିଆର୍ ଗବାଇ, ଜଷ୍ଟିସ୍ ଏସ୍ କାନ୍ତ ଏବଂ ଜଷ୍ଟିସ୍ ଏଚ୍ ରାୟଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ବିଚାରପତିମାନଙ୍କ ପାଇଁ କୋର୍ଟ କାର୍ଯ୍ୟକାଳରେ ସେମାନଙ୍କ ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟ ମାର୍ଗଦର୍ଶିକା ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯେହେତୁ ସୋସିଆଲ ମିଡିଆ ସକ୍ରିୟ ଭାବରେ ଅଦାଲତ କାର୍ଯ୍ୟ ଉପରେ ନଜର ରଖୁଛି, ତେଣୁ ନ୍ୟାୟିକ ମନ୍ତବ୍ୟ ଅଦାଲତରେ ଆଶା କରାଯାଉଥିବା ଶୃଙ୍ଖଳା ସହିତ ସମାନ ହେବା ଜରୁରୀ। 

ଜଷ୍ଟିସ୍ ଶ୍ରୀଶାନନ୍ଦଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ କ୍ଲିପ୍‌ରେ ବିଚାରପତି ଜଣେ ମହିଳା ଓକିଲଙ୍କୁ କହୁଥିବାର ଦେଖିବାକୁ ମିଳିଛି ଯେ ସେ ବିରୋଧୀ ଦଳ ବିଷୟରେ ବହୁତ କିଛି ଜାଣନ୍ତି ଏବଂ ତାଙ୍କ ଅନ୍ତର୍ବାସର ରଙ୍ଗ ମଧ୍ୟ ଚିହ୍ନିବାରେ ସକ୍ଷମ। ଅନ୍ୟ ଏକ କ୍ଲିପ୍‌ରେ ବିଚାରପତି ବେଙ୍ଗାଲୁରୁର ଏକ ମୁସଲମାନ-ଅଧ୍ୟୁଷିତ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।