ସୁପ୍ରିମକୋର୍ଟରେ ଜଜ୍‌ ଲୋୟା ମୃତ୍ୟୁ ମାମଲାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ସିବିଆଇ ଜଜ୍‌ ବିଏଚ୍‌ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦିପକ ମିଶ୍ରଙ୍କୁ ନେଇ ଗଠିତ ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ବମ୍ବେ ହାଇକୋର୍ଟରେ ଥିବା ଏହି ମାମଲା ସଂପର୍କିତ ଦୁଇଟି କେସକୁ ନିଜ ଅଧିନକୁ ନେଇଆସିଛନ୍ତି । ଏହି ମାମଲା ସଂପର୍କିତ ଅନ୍ୟକୌଣସି ଜନସ୍ୱାର୍ଥ ମାମଲା ଗ୍ରହଣ ନକରିବାକୁ ସୁପ୍ରିମକୋର୍ଟ ଅନ୍ୟ ହାଇକୋର୍ଟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଫେବ୍ରୁଆରୀ ୨ ତାରିଖରେ ହେବ ।

ମହାରାଷ୍ଟ୍ର ସରକାର ଏହି ମାମଲା ସଂପର୍କିତ ସବୁ ଦସ୍ତାବିଜ୍‌ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଏହି ମାମଲା ସହିତ ସଂପର୍କିତ ସବୁ ପକ୍ଷ ନିଜ ନିଜର କାଗଜପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଉଠାଯାଇଥିବା ପ୍ରଶ୍ନଗୁଡ଼ିକ ବେଶ ଗୁରୁତର, ଏଣୁ ମାମଲା ସହ ସଂପର୍କିତ ସବୁ ଦସ୍ତାବିଜ ଓ ତଥ୍ୟ ପ୍ରମାଣଗୁଡିକୁ ଯଥେଷ୍ଟ ଗୁରୁତ୍ୱର ସହ ଯାଞ୍ଚ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାର ତଦନ୍ତ ପାଇଁ ବମ୍ବେ ଓକିଲ ସଂଘ ପକ୍ଷରୁ ଗତ ୮ ତାରିଖରେ ଏକ ପିଟିସନ ଦାଏର କରାଯାଇଥିଲା ।

ସମ୍ବନ୍ଧିତ ଖବର