ମକର ସଂକ୍ରାନ୍ତି ଦିନ ଜେଲ୍‌ରେ ଲାଲୁଙ୍କୁ ମିଳିବ ଚୁଡ଼ା ଦହି

ରାଞ୍ଚି: ଆଉ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଲାଲୁଙ୍କ ପାଇଁ ଦଣ୍ଡାଦେଶ ଦିନ ପାଖେଇ ଆସୁଛି। ରାଞ୍ଚିରେ ୨ ଦଶନ୍ଧି ପୁରାତନ ଗୋଖାଦ୍ୟ ଦୁର୍ନୀତି ବିଷୟକ ୪ଟି ମାମଲାର ବିଚାର କରୁଥିବା ସିବିଆଇ ସ୍ପେସାଲ୍‌ କୋର୍ଟ ଜାନୁଆରି ୨୪ ତାରିଖ ଦିନ ଏଥି ପାଇଁ ଦଣ୍ଡାଦେଶ ଘୋଷଣା କରିବ। ଏଥିରେ ଲାଲୁଙ୍କ ସହ ଅନ୍ୟ ୨୯ ଜଣ ସମ୍ପୃକ୍ତ।

ରାଞ୍ଚିସ୍ଥିତ ବିର୍ସାମୁଣ୍ଡା ଜେଲ୍‌ରେ ଥିବା ଲାଲୁ ଭିଡିଓ କନ୍‌ଫେରେସିଙ୍ଗ୍‌ ଜରିଆରେ ସ୍ପେସାଲ୍‌ ସିବିଆଇ କୋର୍ଟରେ ହାଜିରା ପକାଇଛନ୍ତି। ଏହି ମାମଲାରେ କୋର୍ଟ ସିବିଆଇର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଜାନୁଆରି ୨୪ ତାରିଖ ଦିନ ରାୟ ଶୁଣାଇବେ ବୋଲି ଦିନ ସ୍ଥିର କରିଛନ୍ତି ବୋଲି ଲାଲୁଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି।

ଅନ୍ୟ ଦୁଇଟି ଗୋଖାଦ୍ୟ ଦୁର୍ନୀତି ମାମଲା ନିମନ୍ତେ ଅପରାହ୍ଣରେ ଲାଲୁ ବ୍ୟକ୍ତିଗତ ଭାବେ ସ୍ପେସାଲ୍‌ ସିବିଆଇ ଜଜ୍‌ ପ୍ରଦୀପ କୁମାର ଏବଂ ଶିବପାଲ ସିଂହଙ୍କ ଅଦାଲତରେ ହାଜର ହୋଇଥିଲେ। ସଶସ୍ତ୍ର ପୁଲିସଙ୍କ ପହରାରେ ଲାଲୁ ଚାଲି ଚାଲି ଅଦାଲଦ କୋଠରିକୁ ଯାଇଥିଲେ। ଭିତରକୁ ଯିବାମାତ୍ରେ ଲାଲୁ ଜଷ୍ଟିସ୍‌ ଶିବପାଲ ସିଂହଙ୍କୁ କହିଥିଲେ କି, ସେ ଯଥା ଶୀଘ୍ର ସମ୍ଭବ ରାୟ ଶୁଣାଇ ଦିଅନ୍ତୁ।

ସାମାନ୍ୟ ରହସ୍ୟ କରି ଲାଲୁ କହିଥିଲେ: ଆଜ୍ଞା, ମକର ସଙ୍କ୍ରାନ୍ତି ଆସିଲାଣି। ଜେଲ୍‌ରେ ମୁଁ ଚୁଡ଼ା ଦହି କେମିତି ଖାଇବି?

ଏହାର ସୁବ୍ୟବସ୍ଥା କରିବାକୁ ବିଚାରପତି ଯାଦବ ସେଠାରେ ଉପସ୍ଥିତ ଥିବା ଜେଲ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର