୪ ନିର୍ଭୟା ଦୋଷୀଙ୍କ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଲାଗି ମନା କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀ ଅକ୍ଷୟ ଓ ପବନ୍ ଗତ ୨୯ ତାରିଖରେ ସେମାନଙ୍କ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନକୁ ଆଜି ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି। ସୂଚନା ମୁତାବକ, ଶନିବାର ଦୋଷୀ  ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିଲା।  ସେହିଭଳି ଶନିବାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିଲା। ଏହି ଦୁଇ ଆବେଦନକୁ ଦର୍ଶାଇ ଦୋଷୀ ପୱନ୍ ଓ ଅକ୍ଷୟଙ୍କ ଓକିଲ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଲାଗି ଆବେଦନ କରିଥିଲେ। ଆଜି ସୁପ୍ରିମକୋର୍ଟ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିବା ପ‌ରେ ଟ୍ରାଏଲ୍ କୋର୍ଟ ମଧ୍ୟ ମୃତ୍ୟୁ ପରୱାନା ଉପରେ ରୋକ ଲାଗି କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି।

ଏଣୁ ଆସନ୍ତାକାଲି (ମାର୍ଚ୍ଚ ୩ ତାରିଖରେ) ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ଏଯାବତ୍ ଏକପ୍ରକାର ନିଶ୍ଚିତ ହୋଇଛି। ତେବେ କ୍ୟୁରେଟିଭ ପିଟିସନ୍ ଖାରଜ ହେବା ପରେ ପବନ ଗୁପ୍ତା ରାଜକ୍ଷମା ଲାଗି ଆବେଦନ କରିଛି।

ଅନ୍ୟ ପକ୍ଷରେ ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି.ସିଂ ପଟିଆଲା ହାଉସ୍ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ପବନ୍ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ଏହା ପରେ ମାମଲାର ସାନି ଶୁଣାଣି  ମଧ୍ୟାହ୍ଣ ୨ଟା‌ ପରେ  ହେବ ବୋଲି କହିଥିଲେ।

 

ସମ୍ବନ୍ଧିତ ଖବର