ରାୟପୁର: ସ୍ୱାମୀଙ୍କୁ ପୋଷା ମୂଷା" ବୋଲି କହିବା ଏବଂ ଶ୍ୱଶୁର ଘର ଲୋକଙ୍କଠାରୁ ଅଲଗା ରହିବା ପାଇଁ ଜିଦ୍ ଧରିବା ନିଷ୍ଠୁରତାକୁ ଉଲ୍ଲେଖ କରି ଛତିଶଗଡ଼ ହାଇକୋର୍ଟ ଜଣେ ମହିଳାଙ୍କ ବିରୋଧରେ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ମଞ୍ଜୁର ପ୍ରଦାନ କରିଛନ୍ତି। ସ୍ୱାମୀ ମାନସିକ ନିର୍ଯାତନା ଅଭିଯୋଗରେ ଏକ ମାମଲା ଦାଏର କରିଥିଲେ। ପତ୍ନୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇଥିଲା।  ପ୍ରମାଣ ଅଭାବରୁ ପତ୍ନୀଙ୍କ ମାମଲା ଖାରଜ କରାଯାଇଥିଲା।

Advertisment

ଛତିଶଗଡ଼ର ରାୟପୁରର ଏକ ଦମ୍ପତି କିଛି ବର୍ଷ ପୂର୍ବରୁ ବିବାହ କରିଥିଲେ। ପ୍ରାରମ୍ଭରେ ସବୁକିଛି ଭଲ ଚାଲିଥିଲା, କିନ୍ତୁ ଧୀରେ ଧୀରେ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଗଲା। ଦମ୍ପତିଙ୍କର ଜଣେ ପୁଅ ଅଛନ୍ତି। ଧୀରେ ଧୀରେ ବିବାଦ ଆରମ୍ଭ ହେଲା ଏବଂ ସ୍ତ୍ରୀ ତାଙ୍କ ଶ୍ୱଶୁର ଘର ଲୋକଙ୍କଠାରୁ ଦୂରେଇ ରହିବାକୁ ଜିଦ୍ ଧରିଲେ। ଏହା ସହିତ ଝଗଡ଼ା ସମୟରେ ସେ ସ୍ବମୀଙ୍କୁ ଗାଳିଗୁଲଜ କରୁଥିଲେ। ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଉପରେ ନିଷ୍ଠୁରତା  ଅଭିଯୋଗ ଆଣି ଛାଡ଼ପତ୍ର ପାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ।

କୋର୍ଟରେ ଦାଖଲ ହୋଇଥିବା  ଆବେଦନରେ ସ୍ୱାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ପ୍ରତିଦିନ ତାଙ୍କ ସହିତ ଝଗଡ଼ା କରନ୍ତି ଏବଂ ତାଙ୍କୁ "ପୋଷା ମୂଷା" ବୋଲି ଡାକନ୍ତି। ସେ  କହିଛନ୍ତି, ତାଙ୍କ ବାପାମାଆ ବୃଦ୍ଧ, ଏବଂ ତାଙ୍କ ସ୍ତ୍ରୀ ନିରନ୍ତର ସେମାନଙ୍କଠାରୁ ଅଲଗା ରହିବାକୁ ଜିଦ୍ କରୁଥିଲେ। ଅପମାନଜନକ ଭାଷା ବ୍ୟବହାର କରୁଥିଲେ। ଫଳସ୍ୱରୂପ, ତାଙ୍କର ମାନସିକ ଶାନ୍ତି ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ସ୍ୱାମୀ ପରିବାର ଅଦାଲତରେ ଏକ ଆବେଦନ ଦାଖଲ କରିଥିଲେ। ପରିବାର ଅଦାଲତ ଆବେଦନକୁ ଗ୍ରହଣ କରିଥିଲେ।

ଛତିଶଗଡ଼ ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ, ପୃଥକୀକରଣ (ଶ୍ୱଶୁର ଘରଠାରୁ ଦୂରରେ ରହିବା) ପାଇଁ ଏପରି ଦାବି ପ୍ରାୟତଃ ବୈବାହିକ ସମ୍ପର୍କ ଭାଙ୍ଗିବାର କାରଣ ହୋଇଥାଏ। କୋର୍ଟ ପତ୍ନୀଙ୍କ ଆଚରଣକୁ ମାନସିକ ନିଷ୍ଠୁରତା ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ଆଚରଣ ସ୍ୱାମୀଙ୍କ ଆତ୍ମସମ୍ମାନକୁ ଭାଙ୍ଗି ଦେଇଛି ଏବଂ ତାଙ୍କ ପରିବାରର ଏକତାକୁ ବିପଦରେ ପକାଇଛି।

ଏହି ମାମଲାରେ, ସ୍ତ୍ରୀ ସ୍ୱାମୀଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଥିଲେ, କିନ୍ତୁ ପ୍ରମାଣ ଅଭାବରୁ ଏହାକୁ ଖାରଜ କରିଦିଆ ଯାଇଥିଲା। କୋର୍ଟ ପତ୍ନୀଙ୍କୁ ସ୍ଥାୟୀ ଭରଣପୋଷଣ ଭାବରେ ୫ ଲକ୍ଷ ପ୍ରଦାନ କରିବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଅର ଭରଣପୋଷଣ ପାଇଁ ସ୍ୱାମୀଙ୍କୁ ମାସିକ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।