ମୁମ୍ବାଇ: ସମାଜ ସେବା ପ୍ରତି ଫାଦର ଷ୍ଟାନ୍ ସ୍ବାମୀଙ୍କ ସମର୍ପିତ ମନୋଭବ ଥିଲା। ସେ ଅତି ଭଲ ଲୋକ ଥିଲେ। ତାଙ୍କ ସେବା ପାଇଁ ଆମର ଯଥେଷ୍ଟ ସମ୍ମାନ ରହିଛି। ଷ୍ଟାନ୍ ସ୍ବାମୀଙ୍କ ଜାମିନ ଆବେଦନର ମରଣୋତ୍ତର ଶୁଣାଣି କରିବା ଅବସରରେ ଆଜି ବମ୍ବେ ହାଇକୋର୍ଟର ଖଣ୍ଡପୀଠ ଏକଥା କହିଛନ୍ତି। ବିଚାରପତି ଏସ୍ଏସ୍ ସିନ୍ଧେ ଏବଂ ଏନ୍ଜେ ଜମାଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ, ସ୍ବାମୀ କେତେ ଲୋକପ୍ରିୟ ଥିଲେ ତାହା ତାଙ୍କ ଶେଷକୃତ୍ୟ ସମୟର ଦୃଶ୍ୟରୁ ସ୍ପଷ୍ଟ ଅନୁମେୟ। ତାଙ୍କ ବିରୋଧରେ କି ଅଭିଯୋଗ ରହିଛି ତାହା ଭିନ୍ନ କଥା। ହେଲେ ଆଇନତଃ ତାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଅଦାଲତ ଗଭୀର ସମ୍ମାନ ଜଣାଉଛି।
ଏଲ୍ଗାର ପରିଷଦ ମାଓବାଦୀ ସଂଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ ସ୍ବାମୀଙ୍କୁ ଜେଲ୍ରେ ରଖାଯାଇଥିଲା। ବୟସାଧିକ୍ୟ କାରଣରୁ ସେ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ଖଣ୍ଡପୀଠ ସ୍ବାମୀଙ୍କୁ ଗତ ୫ ତାରିଖରେ ଜାମିନ ପ୍ରଦାନ କରିଥିଲେ ହେଁ ପରଦିନ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସ୍ବାମୀଙ୍କ ମୃତ୍ୟୁ ପରେ ମାମଲା ସମ୍ପର୍କିତ ରିପୋର୍ଟ ମିଳିଥିବାରୁ ଏନ୍ଆଇଏ ଏବଂ ବିଚାର ବିଭାଗୀୟ ଅବହେଳାକୁ ଖଣ୍ଡପୀଠ ସମାଲୋଚନା କରିଛନ୍ତି।