ନାଗାଓଁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୧୯ ବର୍ଷୀୟ ଅପରାଧୀକୁ ଫାଶୀ

ନୂଆଦିଲ୍ଲୀ: ଆସାମ ନାଗାଓଁର ଏକ ଅଦାଲତ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଜାକିର ହୁସେନକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଜିଲ୍ଲା ଜଜ୍‌ ରୀତା କାର୍‌ ଅପରାଧୀ ହୁସେନ (୧୯)କୁ ନାବାଳିକା ହତ୍ୟା ମାମଲାରେ ଫାଶୀ ଦଣ୍ଡ ଏବଂ ବଳାତ୍କାର ମାମଲାରେ ପୋକ୍‌୍‌ସୋ ଆଇନ ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ମାର୍ଚ୍ଚ ମାସରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ଅଦାଲତ ସେପ୍‌୍‌ଟେମ୍ବରରେ ମୁଖ୍ୟ ଅଭିଯୁକ୍ତ ଜାକିର୍‌କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ବାଳ ସୁଧାର ଗୃହରେ ରଖାଯାଇଛି । ନାଗାଓଁ ଜିଲ୍ଲାର ଲାଲୁଙ୍ଗ ଗ୍ରାମରେ ମାର୍ଚ୍ଚ ୨୩ ତାରିଖ ଦିନ ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୧ ବର୍ଷର ଝିଅକୁ ରାସ୍ତାରୁ ଉଠାଇ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ ଏବଂ ଝିଅଟିକୁ ଜୀବନ୍ତ ଜଳାଇ ଦେଇଥିଲେ। ଅପରାଧ ଘଟାଇ ସମସ୍ତେ ଫେରାର ହୋଇଯାଇଥିବା ବେଳେ ଏହି ମାମଲାରେ ପୁଲିସ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରି ପର୍ଯ୍ୟାୟକ୍ରମେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପୁଲିସ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ସହ ୨୮ ଏପ୍ରିଲ୍‌ ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରି ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇଥିଲେ। ୫ ମାସ ମଧ୍ୟରେ କୋର୍ଟ ରାୟ ଆସିଥିବାରୁ ଏହାକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର