ନୂଆଦଲ୍ଲୀ : ଦେଶରେ ମହାମାରୀ କୋଭିଡ୍‌-୧୮ ଦ୍ବିତୀୟ ଲହର ସଂକ୍ରମଣର ବ୍ୟାପକତା ପରିପ୍ରେକ୍ଷୀରେ ନିର୍ବାଚନ କମିସନଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ କରିଥିବା ଟିପ୍ପଣୀ ଅତ୍ୟନ୍ତ କଠୋର ତଥା ଅନୁପଯୁକ୍ତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ଉଚ୍ଚ ଅଦାଲତର ବିଚାରପତିମାନେ ଏଭଳି ସ୍ପର୍ଶକାତର ମାମଲାର ଶୁଣାଣି ବେଳେ ସଂଯମ ଅବଲମ୍ବନ କରିବାସହ ଏଭଳି ଟିପ୍ପଣୀ ଦେବାରୁ ନିବୃତ୍ତ ରହିବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ କରିଛନ୍ତି।

Advertisment

ମାମଲାର ବିବରଣୀ ଅନୁଯାୟୀ, ଦେଶରେ ସମ୍ପ୍ରତି କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ନିକଟରେ ସରିଥିବା କିଛି ରାଜ୍ୟର ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଭୋଟଗଣତିକୁ ଅବାଧ, ନିର୍ବିବାଦୀୟ ଓ ନିରପେକ୍ଷ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରିବାକୁ ଗତ ମାସରେ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଆଗତ ହୋଇଥିଲା।

ଗତ ୨୬ ତାରିଖରେ ଏହାର ଶୁଣାଣି କରି ହାଇକୋର୍ଟ ଦ୍ବିତୀୟ ଲହର ସଂକ୍ରମଣର ଭୟାବହତା ପାଇଁ ଭାରତର ନିର୍ବାଚନ କମିସନଙ୍କୁ ଦାୟୀ କରିଥିଲେ। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳକୁ ପ୍ରଚାର ଶୋଭାଯାତ୍ରା ପାଇଁ ଅନୁମତି ଦେବା ଆୟୋଗଙ୍କ ଅପରିଣାମଦର୍ଶିତା ବୋଲି ଅଦାଲତ କଡ଼ା ଭାଷାରେ ଭର୍ତ୍ସନା କରିବା ସହ ନିର୍ବାଚନ ଆୟୋଗଙ୍କୁ ଦେଶର ସବୁଠୁ ଦାୟିତ୍ବହୀନ ଅନୁଷ୍ଠାନ ଭାବେ ଅଭିହିତ କରିଥିଲେ। ଏପରିକି ସଂକ୍ରମଣଜନିତ ମୃତ୍ୟୁ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀମାନେ ହତ୍ୟା ଅପରାଧରେ ଗିରଫ ହେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଟିପ୍ପଣୀ କରିଥିଲେ।

ଅପରପକ୍ଷେ, ମାଡ୍ରାସ ହାଇକୋର୍ଟଙ୍କ ଏଭଳି ଟିପ୍ପଣୀରେ ନିର୍ବାଚନ କମିସନ ଭୀଷଣ ଭାବରେ ମର୍ମାହତ ବୋଲି ଉଲ୍ଲେଖ କରିବା ସହ ଏଭଳି ସମ୍ବେଦନଶୀଳ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ସଂଯମ ରକ୍ଷା ଲାଗି ସୁପ୍ରିମକୋର୍ଟ ପରାମର୍ଶ କରିବା ଲାଗି ନିର୍ବାଚନ ଆୟୋଗ ନିବେଦନ କରିଥିଲେ। ତେବେ ଅଦାଲତଙ୍କ ଏହି ଟିପ୍ପଣୀ ନ୍ୟାୟିକ ରେକର୍ଡର ଅଂଶବିଶେଷ ହୋଇନଥିବାରୁ ସେ ସମ୍ପର୍କରେ ଆଉ ଆଲୋଚନା କରିବା ଉଚିତ ହେବନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।