ବିଚାରପତିମାନେ ସତର୍କତାର ସହ କୋର୍ଟରୁମ୍‌ ବୟାନ ରଖନ୍ତୁ: ରାଷ୍ଟ୍ରପତି

ଭୁଲ୍‌ ବ୍ୟାଖ୍ୟା ଓ ବିଭ୍ରାନ୍ତି ପାଇଁ ସୁଯୋଗ ଦିଅନ୍ତୁ ନାହିଁ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଦ୍ବାରା ଆୟୋଜିତ ୭୨ତମ ସମ୍ବିଧାନ ଦିବସ ସମାପନ ସମାରୋହରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ କୋର୍ଟରୁମ୍‌ରେ ବିଚାରପତିମାନେ ସେମାନଙ୍କ ମନ୍ତବ୍ୟ ରଖିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ସ‌ମ୍ବେଦନଶୀଳ ବ୍ୟବହାର ଦେଖାଇବାକୁ ହେବ। ବିଚାରପତିଙ୍କ ଦ୍ବାରା ବିଭିନ୍ନ ପ୍ରସଙ୍ଗରେ ଦିଆଯାଉଥିବା ବୟାନକୁ ନେଇ ବିଭ୍ରାନ୍ତି ଉପୁଜୁଛି ଏବଂ ସାମାଜିକ ଗଣମାଧ୍ୟମରେ ଭୁଲ୍‌ ବ୍ୟାଖ୍ୟା ହେଉଛି। ବିଚାରପତିମାନେ କୋର୍ଟରୁମ୍‌ରେ ନିଜ ବିବେକ ଅନୁଯାୟୀ ମତ ରଖିବା ମଧ୍ୟ ଦାୟିତ୍ବ। କେତେକ ଅନିଚ୍ଛାକୃତ ଏବଂ ଅନାବଶ୍ୟକ ମନ୍ତବ୍ୟ ମଧ୍ୟ ନ୍ୟାୟପାଳିକାକୁ ନେଇ ବିବାଦୀୟ ଆଲୋଚନା କରିବାକୁ ଖୋରାକ ଯୋଗାଇ ଦେଇଉଥିବାରୁ ଏ ଦିଗରେ ବିଚାରପତିମାନେ ସତର୍କ ରହିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ଆମେରିକା ସୁପ୍ରିମକୋର୍ଟର ଜଷ୍ଟିସ ଫ୍ରାଙ୍କଫର୍ଟରଙ୍କ ଏକ ବୟାନକୁ ଉଦ୍ଧାର କରି ରାଷ୍ଟ୍ରପତି କହିଛନ୍ତି, ‘କୋର୍ଟ ପ୍ରତିନିଧି ସଂସ୍ଥା ନୁହଁନ୍ତି ଏବଂ ବିଚାରପତିମାନଙ୍କର ଅତ୍ୟାବଶ୍ୟକ ଗୁଣ ହେଉଛି ନିଜକୁ ପୃଥକ ରଖିବା ଏବଂ ସ୍ୱାଧୀନତା ଉପରେ ଆଧାରିତ ରହିବା। ଇତିହାସ ଶିକ୍ଷା ଦିଏ ଯେ ନ୍ୟାୟାଳୟର ସ୍ବାଧୀନତା ସେତେବେଳେ ବିପଦରେ ପଡ଼େ ଯେତେବେଳେ କୋର୍ଟ ଘଟଣାର ଆବେଗରେ ଜଡିତ ହୁଅନ୍ତି ଏବଂ ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ଚାପ ମଧ୍ୟରେ ଚୟନ କରିବାକୁ ବାଧ୍ୟ ହୁଅନ୍ତି।’

ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ ଦୀର୍ଘଦିନ ଧରି ପଡ଼ି ରହିଥିବା ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣିଜନିତ ସମସ୍ୟା ହଟାଇବା ପାଇଁ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ବିଚାରପତି ବାଛିବା ପାଇଁ ସର୍ବଭାରତୀୟ ଜୁଡିସିଆଲ ପରୀକ୍ଷା ଏ ଦିଗରେ ଏକ ଉତ୍ତମ ପଦକ୍ଷେପ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ନିମ୍ନ ସ୍ତରରୁ ଉଚ୍ଚ ସ୍ତର ପର୍ଯ୍ୟନ୍ତ ସବୁଠି ସଠିକ୍ ପ୍ରତିଭା ଚୟନ ଏବଂ ପ୍ରୋତ୍ସାହନକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ନ୍ୟାୟ ବିତରଣ ପ୍ରଣାଳୀକୁ ସର୍ବାଧିକ ମଜବୁତ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଜରୁରୀ ବୋଲି ସେ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ନିମ୍ନ ଅଦାଲତରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାତ୍ରା ସାଧାରଣ ନାଗରିକଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେଉଛି । ଏଥିପାଇଁ ଆବଶ୍ୟକ ଆଇନଗତ ସହାୟତା ପ୍ରକ୍ରିୟାରେ ବୃଦ୍ଧି ହେବ ବୋଲି ରାଷ୍ଟ୍ରପତି ଆଶାପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ କ୍ଷମତାର ପୃଥକ ସ୍ଥିତି ବିଷୟରେ କହିଥିଲେ। ସେ କହିଥିଲେ, ‘ସରକାର ଏବଂ ନ୍ୟାୟପାଳିକା ଯାଆଁଳା ଶିଶୁ ଯେହେତୁ ସେମାନେ ସମାନ ସମ୍ବିଧାନରୁ ଜନ୍ମ ହୋଇଛନ୍ତି। ଆଗାମୀ ୨୫ ବର୍ଷରେ ରାଷ୍ଟ୍ର ସ୍ୱାଧୀନତାର ୧୦୦ ବର୍ଷ ଆଡ଼କୁ ଚାହିଁଲାବେଳେ, ସରକାର ଏବଂ ନ୍ୟାୟପାଳିକା ଏକ ସାଧାରଣ ଲକ୍ଷ୍ୟ ଏବଂ ସାଧାରଣ ମନରେ ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର