ଆନ୍ଧ୍ର ରାଜଧାନୀ ପାଇଁ ନ୍ୟାୟିକ ଯୁଦ୍ଧ, ଜମି ଛାଡ଼ିଥିବା ଚାଷୀମାନେ ଆଗତ କଲେ ୫୩ ମାମଲା

ବିଜୟଵାଡ଼ା: ବିକାଶର ବିକେନ୍ଦ୍ରୀକରଣକୁ ନିଶ୍ଚିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିଜର ରାଜଧାନୀକୁ ତିନିଟି ସ୍ଥାନରେ ସ୍ଥାପନ କରିବା ପାଇଁ ଦୃଢ଼ ପରିକର ଅଛନ୍ତି। ଅପରପକ୍ଷେ, ରାଜଧାନୀ ଅମରାବତୀ ପାଇଁ ଜମି ଛାଡ଼ିଥିବା ଚାଷୀମାନେ ଏହା ବିରୋଧରେ ନ୍ୟାୟିକ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରିକି ସରକାରଙ୍କ ଏଭଳି ରାଜଧାନୀ ବିଭକ୍ତୀକରଣ ନିଷ୍ପତ୍ତି ବିରୋଧରେ ଚାଷୀଙ୍କ ପକ୍ଷରୁ ଆନ୍ଧ୍ର ହାଇକୋର୍ଟରେ ୧୫ଟି ଜନସ୍ବାର୍ଥ ମାମଲା ସମେତ ମୋଟ ୫୩ଟି ମାମଲା ଆଗତ ହୋଇଥିବା ଜଣାଯାଇଛି। ସେଥିରୁ ଅଧିକାଂଶ ମାମଲା ଚାଷୀମାନେ ବ୍ୟକ୍ତିଗତ ଭାବେ ରୁଜୁ କରିଥିବା ବେଳେ ଜନସ୍ବାର୍ଥ ମାମଲାଗୁଡ଼ିକ ଅମରାବତୀ ପରିରକ୍ଷଣ ସମିତି ଓ ଅନ୍ୟାନ୍ୟ ଚାଷୀ ସଂଘ ଦ୍ବାରା ଆଗତ ହୋଇଛି।

ଏପରିକି ସରକାର ଅମରାବତୀରେ କୌଣସି ବିକାଶମୂଳକ କାର୍ଯ୍ୟ ସଂପୂର୍ଣ୍ଣ କରିନାହାନ୍ତି ବୋଲି ଚାଷୀମାନେ ସରକାରଙ୍କ ଏଭଳି ବିକାଶର ବିକେନ୍ଦ୍ରୀକରଣ ଯୋଜନା ଘୋଷଣା କରିବା ଆଗରୁ ହିଁ ଚ୍ୟାଲେଞ୍ଜ୍‌ କରିଛନ୍ତି। ସେହିପରି ବିଶେଷଜ୍ଞ କମିଟି ରିପୋର୍ଟ ବିରୋଧରେ ସରକାର ଆପତ୍ତି ଉଠାଇବା ପ୍ରସଙ୍ଗକୁ ଚାଷୀମାନେ ମଧ୍ୟ ଚ୍ୟାଲେଞ୍ଜ୍‌ କରିଛନ୍ତି। ବିଶେଷଜ୍ଞ କମିଟି ସୁପାରିସ୍‌ଗୁଡ଼ିକ ପ୍ରକାଶ ନକରି ତାହା ବିରୋଧରେ ସରକାର ଏଭଳି ଆପତ୍ତି ଉଠାଇବାକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟରେ ୫ଟି ଆବେଦନ ଦାଖଲ ହୋଇଛି। ସେହିପରି ବିଜୟଵାଡ଼ା, ଗୁଣ୍ଟୁର ଓ ଅନ୍ୟାନ୍ୟ ସ୍ଥାନର ଗରିବ ଭୂମିହୀନମାନଙ୍କୁ ଅମରାବତୀରେ ବାସଗୃହ ଯୋଗାଇଦେବାକୁ ସରକାର ଘୋଷଣା କରିଥିବା ନିଷ୍ପତ୍ତିକୁ ମଧ୍ୟ ଚ୍ୟାଲେଞ୍ଜ୍‌ କରାଯାଇଛି। ଅପରପକ୍ଷେ, ତଦନ୍ତ କମିସନ୍‌ ଓ ଅନ୍ୟାନ୍ୟ ଆୟୋଗ କାର୍ଯ୍ୟାଳୟର ସ୍ଥାନାନ୍ତରକୁ ମଧ୍ୟ ଚାଷୀମାନେ ବିରୋଧ କରିଛନ୍ତି। ଅବଶ୍ୟ ବିଭିନ୍ନ କାର୍ଯ୍ୟାଳୟର ସ୍ଥାନାନ୍ତର ଓ ଜମିବଣ୍ଟନ ମାମଲାରେ ମାନ୍ୟବର ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିବାରୁ ଚାଷୀମାନେ ଆଶ୍ବସ୍ତ ଅଛନ୍ତି। ଗୋଟିଏ ପଟେ ସରକାର ନିଜର ରାଜଧାନୀ ତ୍ରିଭାଗୀକରଣ ନିଷ୍ପତ୍ତିରେ ଅଟଳ ରହିଥିବା ବେଳେ ଚାଷୀଙ୍କ ସମେତ ଅନ୍ୟମାନେ ଏହାର ବିରୋଧ ପାଇଁ ଯାବତୀୟ ନ୍ୟାୟିକ ବିକଳ୍ପ ତଲାସରେ ବ୍ୟସ୍ତ ଅଛନ୍ତି। ଅଦାଲତ ସବୁ ମାମଲାଗୁଡ଼ିକର ଶୁଣାଣି କରିବାକୁ ପ୍ରସ୍ତୁତ ଥିବାରୁ ଆଗକୁ ରାଜ୍ୟର ଆଇନ ହସ୍ତୀମାନଙ୍କର ଲଢ଼େଇ ଦେଖିବାକୁ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର