ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଝଟକା, ଯାଚିକା ଖାରଜ କରି ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ପରିବେଶବିତ ଜୁହି ଚାୱଲାଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ | ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଂ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଅଭିଯୋଗକାରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ଏହାପୂର୍ବରୁ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜେ.ଆର. ମିଡାଙ୍କ ଏକ ବେଞ୍ଚ ଜୁନ୍ ୨ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ବେଞ୍ଚ ପକ୍ଷରୁ କୁହାଯାଇଛି ଯେ ଜୁହି ଚାୱଲାଙ୍କ ଆବେଦନ ତ୍ରୁଟିପୂର୍ଣ୍ଣ ଏବଂ କେବଳ ମିଡିଆ ପ୍ରଚାର ପାଇଁ ଏହା ଦାଖଲ କରାଯାଇଛି। ଏହି ମାମଲାରେ ସରକାରଙ୍କ ନିକଟକୁ ଯିବା ପରିବର୍ତ୍ତେ ସେ କାହିଁକି କୋର୍ଟରେ ଆବେଦନ କରିଛନ୍ତି ବୋଲି ବେଞ୍ଚ ଜୁହିଙ୍କୁ ମଧ୍ୟ ପଚାରିଥିଲେ। ଏଥି ସହିତ ଶୁକ୍ରବାର ଦିନ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଙ୍ଗ ବିରୋଧରେ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ଜୁହି ଚାୱଲାଙ୍କୁ ବକେୟା କୋର୍ଟ ଫି ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁହି ମିଡିଆ ପ୍ଲାଟଫର୍ମରେ ଶୁଣାଣିର ଲିଙ୍କ୍ ସ୍ୟାର କରିବାକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଜୁହି ଚାୱଲା ଆଇନ ପ୍ରକ୍ରିୟାର ଅପବ୍ୟବହାର କରିଛନ୍ତି।

ଶୁଣାଣି ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି ଯେ ଦେଶରେ ୫ଜି ବେତାର ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ-ପରିବେଶବିତ୍ ଜୁହି ଚାୱଲା ମାମଲା ରୁଜୁ କରିଥିଲେ | ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ ନାଗରିକ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ୫ଜି ବେତାର ନେଟୱାର୍କର ବିକିରଣ ଖରାପ ପ୍ରଭାବ ପକାଇବ ବୋଲି ଦର୍ଶାଇ ମାମଲା ରୁଜୁ କରିଥିଲେ ଜୁହି ଚାୱଲା ।

ସମ୍ବନ୍ଧିତ ଖବର