ଓ୍ଵିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଲଣ୍ଡନ : ଓ୍ଵିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି । ୭ ବର୍ଷ ତଳେ ଅର୍ଥାତ ୨୦୧୨ରେ ଏକ ଜାମିନ ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ଇକ୍ୱେଡର ଦୂତାବାସରେ ପ୍ରବେଶ କରିବା ଅଭିଯୋଗ ସାବ୍ୟସ୍ତ ହେବା ପରେ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଆସେଞ୍ଜ ମଧ୍ୟ ଏଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି ।

ଗତ ମାସରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ବ୍ରିିଟିଶ ପୁଲିସ ଲଣ୍ଡନ ସ୍ଥିତ ଇକ୍ୱେଡର ଦୂତାବାସରୁ ଗିରଫ କରିଥିଲା । ୨୦୧୨ରୁ ସେ ଉକ୍ତ ଦୂତାବାସରେ ରହୁଥିଲେ । ତେବେ ଇକ୍ୱେଡର ତାଙ୍କୁ ଦେଇଥିବା ଆଶ୍ରୟ ପ୍ରତ୍ୟାହାର କରିବାରୁ ତାଙ୍କୁ ପୁଲିସ ଗିରଫ କରିଥିଲା । ଇକ୍ୱେଡରର ରାଷ୍ଟ୍ରପତି ଲେନିନ୍‌ ମୋରେନୋ କହିଛନ୍ତି ଯେ ଆସେଞ୍ଜ ବାରମ୍ବାର ଅନ୍ତର୍ଜାତୀୟ ନିୟମାବଳୀର ଉଲ୍ଲଙ୍ଘନ କରିବାରୁ ତାଙ୍କୁ ଦିଆଯାଇଥିବା କୂଟନୈତିକ ଆଶ୍ରୟ ପ୍ରତ୍ୟାହାର କରାଗଲା ।
ସ୍ୱିଡେନରେ ତାଙ୍କ ବିରୋଧରେ ଏକ ଯୌନ ନିର୍ଯ୍ୟାତନା ମାମଲାକୁ ନେଇ ଓ୍ଵାରେଣ୍ଟ ଜାରି ହୋଇଥିଲା । କିନ୍ତୁ ପରେ ଏହି ମାମଲା ପ୍ରତ୍ୟାହାର ହୋଇଥିଲା ।

ସମ୍ବନ୍ଧିତ ଖବର