ନୂଆଦିଲ୍ଲୀ : ଜୁଲାଇ ୨୦୨୩କୁ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ଜଳବାୟୁ ବିଜ୍ଞାନୀମାନେ ଘୋଷଣା କରିଛନ୍ତି। ଜାତିସଂଘ ଏବଂ ଆମେରିକାର ପ୍ରତିରକ୍ଷା ଗ‌ବେଷଣା ସଂସ୍ଥା ନାସା ମଧ୍ୟ ଏଥି‌ରେ ଏକମତ ହୋଇଛି। ନାସାର ଜଳବାୟୁ ବୈଜ୍ଞାନିକ ଗୋବିନ୍‌ ସିମିଟ୍‌ ଉପଗ୍ରହ ତଥ୍ୟର ବିଶ୍ଳେଷଣ କରି ଏଭଳି ତଥ୍ୟ ରଖିଥିବା ବେଳେ ଆଜି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟେରସ କହିଛନ୍ତି, ଜୁଲାଇ ତାପମାତ୍ରା ମାନବ ଜାତି ସମ୍ମୁଖୀନ ହୋଇଥିବା ସବୁ ରେକର୍ଡକୁ ଭାଙ୍ଗିଛି।

Advertisment

publive-image

ଚଳିତ ବର୍ଷର ଜୁଲାଇ ବିଗତ କେତେ ଶହ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ବୋଲି ଗତ ୨୧ ତାରିଖ ଦିନ ପ୍ରଥମେ ନାସା ଘୋଷଣା କରିଥିଲା। ପରିବେଶରେ ସବୁଜ ଗ୍ୟାସ୍‌ର ଲଗାତାର ନିର୍ଗମନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଏଲ୍‌ନିନୋର ମଧ୍ୟ କିଛି ପ୍ରଭାବ ରହିଛି। ଏବେ ଆମେରିକା, ୟୁରୋପ ଏବଂ ଏସିଆର ଅନେକ ଅଂଚଳରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି। ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରରେ ଏଲ୍‌ନିନୋର ପ୍ରଭାବ ବୃଦ୍ଧି ଯୋଗୁ ତାପମାତ୍ରା ଅନେକ ସ୍ଥାନରେ ୪୨ ଡିଗ୍ରି ସେଲସିୟସ ଛୁଇଁଛି। ୧୮୦୦ ଦଶକରେ ତାପମାତ୍ରା ରେକର୍ଡ ରଖିବା ଆରମ୍ଭ ହେବା ପରଠାରୁ ଅଦ୍ୟାବଧି ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଇଥିବା ବେଳେ ଆଗକୁ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆହୁରି ବଢ଼ିବ ଏବଂ ବିଶ୍ବବ୍ୟାପୀ ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଜାତିସଂଘ ମୁଖ୍ୟ କହିଛନ୍ତି ଯେ ଏବେ ‘ଗ୍ଲୋବାଲ ୱାର୍ମିଂ’ ବଦଳରେ ’ଗ୍ଲୋବାଲ ବଏଲିଂ’ର ଯୁଗ ଆରମ୍ଭ ହୋଇଛି। ବିଶ୍ବ ମାତ୍ରାଧିକ ତାପରେ ସନ୍ତୁଳି ହେବାକୁ ଯାଉଛି। ପୂରା ବିଶ୍ବରେ ଦେଖିବାକୁ ମିଳୁଥିବା ଅଭୂତପୂର୍ବ ଗ୍ରୀଷ୍ମଲହରି ମାନବ ସମାଜ ପାଇଁ ଆଗକୁ ଭୟଙ୍କର ବିପଦ ‌ଭାବେ ଉଭା ହେବ।