ନାପିଡ : ଭାରତର ପଡ଼ୋଶୀ ଦେଶ ମିଆଁମାରରେ ସାମରିକ ଶାସକ (ଜନ୍ତା)ର ଅତ୍ୟାଚାର ଜାରି ରହିଛି । ଦେଶର ଲୋକପ୍ରିୟ ରାଜନୈତିକ ନେତ୍ରୀ ୭୭ ବର୍ଷୀୟା ଅଙ୍ଗ ସାଂ ସୁ କୀଙ୍କ ଉପରେ ଲଗାଯାଇଥିବା ଦୁର୍ନୀତି ଅଭିଯୋଗର ବିଚାର ଶୁକ୍ରବାରଦିନ ମିଆଁମାରର ସାମରିକ ଅଦାଲତରେ ହୋଇଥିଲା । ଏଥିରେ ତାଙ୍କୁ ୩୩ ବର୍ଷର ଜେଲଦଣ୍ଡ ଦିଆଯାଇଛି ।

Advertisment

ସୁ କୀ ଗତ ୨୦୨୧ରୁ ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି, ଓ୍ବାକି ଟକି ରଖିବା, କୋଭିଡ୍ ନିୟମ ଉଲ୍ଲଙ୍ଘନ ଆଦି ଅଭିଯୋଗ ଲଗାଯାଇଥିଲା । ଶୁକ୍ରବାରଦିନ ଏସବୁ ଦୋଷକୁ ସାବ୍ୟସ୍ତ କରି ସାମରିକ ଅଦାଲତ ତାଙ୍କୁ ୩୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ତାଙ୍କ ବିରୋଧରେ ମୋଟ ୫ଟି ଦୁର୍ନୀତି ମାମଲା ଲଗାଯାଇଥିଲା । ତା ମଧ୍ୟରୁ ହେଲିକପ୍ଟର କିଣା ଦୁର୍ନୀତି, ନିଯୁକ୍ତି ଦୁର୍ନୀତି ଅନ୍ୟତମ ଥିଲା । ସୁକୀଙ୍କୁ ଗଣମାଧ୍ୟମରେ ବୟାନ ଦେବା ଉପରେ ରୋକ ଲଗାଯାଇଛି ।

ଗତ ବର୍ଷଠାରୁ ଏପର୍ଯ୍ୟନ୍ତ ସେ ୧୮ ମାସ ବିଚାରବିଭାଗୀୟ ହାଜତରେ ଥିଲେ ।  ତାପୂର୍ବରୁ ଗତ ୧୯୮୯ରୁ ୨୦୧୦ ପର୍ଯ୍ୟନ୍ତ ସେ ଗୃହବନ୍ଦୀ ଥିଲେ । ଜାତିସଂଘର ଚାପ ପରେ ତାଙ୍କୁ ମୁକୁଳାଯାଇଥିଲା ଓ ୨୦୧୨ରେ ଉପନିର୍ବାଚନ ଜିତି ସାଂସଦ ହୋଇଥିଲେ । ପରେ ୨୦୧୫ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବି ସେ ବିଜୟ ହାସଲ କରିଥିଲେ । ୧୯୯୧ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା ।