ଐତିହାସିକ: ରିଲିଜ୍ ହେବାର ୭ମ ଦିନରେ ହିଁ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପାଇଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ କ୍ରମାଗତ ଭାବେ ଅଭୂତପୂର୍ବ ବ୍ୟବସାୟ କରି ଚାଲିଛି। ପ୍ରତ୍ୟେକ ଦିନ ଏହି ଚଳଚ୍ଚିତ୍ର ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଛି। ରିଲିଜ୍ ହେବାର ସପ୍ତମ ଦିନରେ ‘ଦ କଶ୍ମୀର ଫାଇଲ୍ସ’ ଏପରି ଏକ ରେକର୍ଡ ତାଲିକାରେ ସାମିଲ ହୋଇଛି ଯାହା ପୂର୍ବରୁ କୌଣସି ବଲିଉଡ୍ ଚଳଚ୍ଚିତ୍ର କରିପାରି ନଥିଲା। ରିଲିଜ୍ ହେବାର ମାତ୍ର ୭ମ ଦିନରେ ଅର୍ଥାତ୍ ପ୍ରଥମ ସପ୍ତାହରେ ହିଁ ‘ଦ କଶ୍ମୀର ଫାଇଲ୍ସ’, ‘ଅଲଟାଇମ୍ ବ୍ଲକବ୍ଲଷ୍ଟର୍’ ବା ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ମାନ୍ୟତା ପାଇଛି।

‘ଶୋଲେ’, ‘ମୈନେ ପ୍ୟାର୍ କିୟା’, ‘ଦିଲ୍ଓ୍ଵାଲେ ଦୁଲହନିୟା ଲେ ଜାଏଙ୍ଗେ’, ‘ଗଦର୍-ଏକ୍ ପ୍ରେମ୍ କଥା’, ‘ଥ୍ରୀ ଇଡିୟଟ୍ସ୍’, ‘ପିକେ’, ‘ଦଙ୍ଗଲ୍’, ‘ବାହୁବଲି’, ‘ବଜରଙ୍ଗୀ ଭାଇଜାନ୍’, ‘କବିର୍ ସିଂହ’ ଭଳି ଚଳଚ୍ଚିତ୍ର ‘ଅଲଟାଇମ୍ ବ୍ଲକବ୍ଲଷ୍ଟର୍’ ବା ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ଉଦାହରଣ।

ତେବେ ଅନ୍ୟ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭଳି ‘ଦ କଶ୍ମୀର ଫାଇଲ୍ସ’ରେ ବଡ ତାରକା ନାହାନ୍ତି, ଏହି ଚଳଚ୍ଚିତ୍ରକୁ ଅଧିକ ବଜେଟରେ ତିଆରି କରାଯାଇ ନାହିଁ, କୌଣସି ହିଟ୍ ଗୀତ ବି ନାହିଁ, ଅଧିକ ପ୍ରୋମୋସନ୍ ମଧ୍ୟ କରାଯାଇ ନାହଁ। ତଥାପି ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ମାତ୍ର ୭ ଦିନ ଭିତରେ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି। ବଲିଉଡର ଅନ୍ୟ କୌଣସି ଚଳଚ୍ଚିତ୍ର ରିଲିଜ ହେବାର ମାତ୍ର ଏକ ସପ୍ତାହ ମଧ୍ୟରେ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇ ନଥିଲେ।

Image Courtesy: Bollywood Hungama

 

ରିଲିଜର ସପ୍ତମ ଦିନରେ ‘ଦ କଶ୍ମୀର ଫାଇଲ୍ସ’ ୧୮.୦୫ କୋଟି ଟଙ୍କା ଆୟ କରିଛି। ‘ଦ କଶ୍ମୀର ଫାଇଲ୍ସ’ ୭ମ ଦିନରେ ସର୍ବମୋଟ ୯୭.୩୦ କୋଟି ଆୟ କରିଛି। ‘ଓ୍ଵିକିପିଡିଆ’ ଅନୁସାରେ ‘ଦ କଶ୍ମୀର ଫାଇଲ୍ସ’ ମାତ୍ର ୧୫ କୋଟି ଟଙ୍କାରେ ତିଆରି ହୋଇଛି।

‘ଦ କାଶ୍ମୀର ଫାଇଲ୍ସ’ ପ୍ରତ୍ୟେକ ଦିନର ଆୟ(କେବଳ ଭାରତରେ):

ଶୁକ୍ରବାର(ମାର୍ଚ୍ଚ ୧୧)- ୩.୫୫ କୋଟି
ଶନିବାର – ୮.୫୦ କୋଟି
ରବିବାର – ୧୫.୧୦ କୋଟି
ସୋମବାର – ୧୫.୦୫ କୋଟି
ମଙ୍ଗଳବାର – ୧୮ କୋଟି
ବୁଧବାର – ୧୯.୦୫ କୋଟି
ଗୁରୁବାର – ୧୮.୦୫ କୋଟି
ମୋଟ – ୯୭.୩୦ କୋଟି

  • ପ୍ରଥମ ଦିନରେ ମାତ୍ର ୬୩୦(ପ୍ରାୟ) ସ୍କ୍ରିନରେ ରିଲିଜ୍ ହୋଇଥିଲା ‘ଦ କଶ୍ମୀର ଫାଇଲ୍ସ’। ତେବେ ଫିଲ୍ମକୁ ଲୋକେ ଅତିମାତ୍ରାରେ ପସନ୍ଦ କରୁଥିବାରୁ ଦ୍ଵିତୀୟ ସପ୍ତାହରେ ଏହି ଫିଲ୍ମକୁ ୪ ହଜାର ସ୍କ୍ରିରେ ରିଲିଜ୍ କରାହୋଇଛି। ରିଲିଜ୍ ବେଳେ କିଛି ଚଳଚ୍ଚିତ୍ର ସମାଲୋଚକ କହୁଥିଲେ ଆଗାମୀ ଦିନରେ ବିଗ୍ ବଜେଟ୍ ଓ ତାରକା ଖଚିତ ଚଳଚ୍ଚିତ୍ର ରିଲିଜ୍ ହେବାରୁ ଥିବାରୁ ‘ଦ କଶ୍ମୀର ଫାଇଲ୍ସ’ ଭଲ ଚଳଚ୍ଚିତ୍ର ହୋଇଥିଲେ ବି ଦ୍ଵିତୀୟ ସପ୍ତାହ ବେଳକୁ ସ୍କ୍ରିନ୍ ସଂଖ୍ୟା କମିଯିବ ଓ ବ୍ୟବସାୟ କମିଯିବ। କିନ୍ତୁ ସ୍କ୍ରିନ୍ ସଂଖ୍ୟା କମିବା ବଦଳରେ ଦ୍ଵିତୀୟ ସପ୍ତାହରେ ‘ଦ କଶ୍ମୀର ଫାଇଲ୍ସ’ର ସ୍କ୍ରିନ ସଂଖ୍ୟା ୬ ଗୁଣରୁ ଅଧିକ ବଢିଛି।
ସମ୍ବନ୍ଧିତ ଖବର