ଜଷ୍ଟିସ୍‌ ବୋବ୍‌ଡ଼େ ପରବର୍ତ୍ତୀ ପ୍ରଧାନ ବିଚାରପତି, ୧୮ରେ ନେବେ ଶପଥ

ନୂଆଦିଲ୍ଲୀ: ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କ ନିଯୁକ୍ତି ପତ୍ରରେ ଦସ୍ତଖତ କରିଛନ୍ତି। ସୁପ୍ରିମ୍‌ କୋର୍ଟର ବର୍ତ୍ତମାନ ପ୍ରଧାନ ବିଚାରପତି ରଂଜନ ଗୋଗଇ ନଭେମ୍ବର ୧୭ରେ ଅବସର ନେବେ ଏବଂ ତାଙ୍କ ସ୍ଥାନରେ ଜଷ୍ଟିସ୍‌ ବୋବ୍ଡ଼େଙ୍କ ଦାୟିତ୍ବ ଗ୍ରହଣ କରିବେ। ଜଷ୍ଟିସ୍‌ ବୋବ୍‌ଡ଼େ ନଭେମ୍ବର ୧୮ ତାରିଖ ଦିନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଏବଂ ପ୍ରାୟ ୧୮ ମାସ ସେ ଏହି ପଦରେ ରହିବେ। ଦେଶର ୪୬ତମ ପ୍ରଧାନ ବିଚାରପତି ଗୋଗଇ ସୁପ୍ରିମ୍‌ କୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି ବୋବ୍‌ଡ଼େଙ୍କ ନାମକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। ଜଷ୍ଟିସ୍‌ ବୋବ୍‌ଡ଼େ ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି କରୁଥିବା ୫ ଜଣିଆ ସମ୍ବିଧାନ ପୀଠରେ ଅଛନ୍ତି। ଏହି ମାମଲାର ରାୟକୁ ଏବେ ଅପେକ୍ଷା କରାଯାଇଛି । ଜଷ୍ଟିସ୍‌ ବୋବ୍‌ଡ଼େଙ୍କ ଜନ୍ମ ୨୪ ଅକ୍ଟୋବର ୧୯୫୬ରେ ମହାରାଷ୍ଟ୍ରର ନାଗପୁରରେ ହୋଇଥିଲା । ସେ ନାଗପୁର ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଥିଲେ। ଏହାପରେ ୨୦୦୦ରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ନଯୁକ୍ତି ହୋଇଥିଲେ। ୨୦୧୨ରେ ସେ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏପ୍ରିଲ ୨୦୧୩ରେ ତାଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର