କଲ୍‌ ରେକର୍ଡ ଲିକ୍‌ ହୋଇଛି: ଜଷ୍ଟିସ୍‌ କୁଦ୍ଦୁସି

ସିବିଆଇକୁ ସ୍ୱତନ୍ତ୍ର ଅଦାଲତଙ୍କ ଜବାବ୍‌ ତଲବ

ନୂଆଦିଲ୍ଲୀ: ପ୍ରସାଦ ମେଡିକାଲ କଲେଜ ଅର୍ଥ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଚର୍ଚ୍ଚାକୁ ଆସିଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇଏମ୍‌ କୁଦ୍ଦୁସିଙ୍କ ଫୋନ୍‌ କଲ୍‌ ଲିକ୍‌ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସିବିଆଇ ବିରୋଧରେ ସ୍ୱତନ୍ତ୍ର ସିବିଆଇ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, କୁଦ୍ଦୁସି ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣା କଥାବାର୍ତ୍ତା ଉକ୍ତ ଫୋନ୍‌ କଲ୍‌ରେ ରହିଥିବା ତଥ୍ୟ ସିବିଆଇ ପାଖରେ ସୁରକ୍ଷିତ ରହିବା ସହ ତାହା କିଛି ଗଣମାଧ୍ୟମରେ ପ୍ରସାରିତ ହେଉଥିବା କୁଦ୍ଦୁସି କହିଛନ୍ତି। ତେବେ କୁଦ୍ଦୁସିଙ୍କ ଅଭିଯୋଗକୁ ଗ୍ରହଣ କରି ସ୍ୱତନ୍ତ୍ର ସିବିଆଇ ବିଚାରପତି ମନୋଜ ଜୈନ୍‌ ଆସନ୍ତା ୨୨ ତାରିଖରେ ଏନେଇ ଉତ୍ତର ରଖିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମେଡିକାଲ କଲେଜରେ ନାଁଲେଖା ପାଇଁ ହୋଇଥିବା ଦୁର୍ନୀତି ମାମଲାରେ ଗତ ସେପ୍ଟେମ୍ବରରେ ସିବିଆଇ କୁଦ୍ଦୁସି, ପ୍ରସାଦ ମେଡିକାଲ କଲେଜର ଦୁଇ କର୍ତ୍ତୃପକ୍ଷଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା। ପରେ କୁଦ୍ଦୁସି ସ୍ୱତନ୍ତ୍ର ଅଦାଲତରୁ ଜାମିନ୍‌ ପାଇଥିଲେ।

ସମ୍ବନ୍ଧିତ ଖବର