ନୂଆଦିଲ୍ଲୀ: ଏୟାରସେଲ୍- ମାକ୍ସିସ୍ ମାମଲାର ଶୁଣାଣି କାଳରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମ୍କୋର୍ଟର ଏକ ଖଣ୍ଡପୀଠ ଆଜି ଆବେଦନକାରୀ କାର୍ତ୍ତି ଚିଦାମ୍ବରମ୍ଙ୍କ ଓକିଲଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଖଣ୍ଡପୀଠର ବିଚାରପତିମାନେ ତାଙ୍କୁ ଅତ୍ୟନ୍ତ କଟୁ ଭାଷାରେ ସତର୍କ କରାଇଦେବା ସହ କହିଛନ୍ତି,‘ଆମ ସମ୍ମୁଖରେ ଏ ପ୍ରକାର ଶବ୍ଦର ଉଚ୍ଚାରଣ କରନାହିଁ। ଆମେ ଆମର ସାମ୍ବିଧାନିକ କର୍ତ୍ତବ୍ୟ ସଂପାଦନ କରୁଛୁ; ତୁମକୁ ଖୁସି କରିବା ପାଇଁ ନୁହେଁ। ତୁମେ ନ୍ୟାୟାଳୟର ଶାଳୀନତା ଓ ମର୍ଯ୍ୟାଦା ରକ୍ଷାକର’।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟରେ ବୁଧବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ଵିଲ୍କର ଓ ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ତେବେ, ଏହି ମାମଲାର ଶୁଣାଣି କରିବାରୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ନିଜକୁ ଓହରାଇ ନେଇ ତାଙ୍କ ସ୍ଥାନରେ ଜଷ୍ଟିସ୍ ଅରୁଣ ମିଶ୍ର ଏହି ମାମଲାର ଶୁଣାଣି କରିବେ ବୋଲି ଘୋଷଣା କରିଥିଲେ। ନିଜକୁ ଏହି ମାମଲାର ଶୁଣାଣିରୁ ଓହରାଇ ନେବା ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଥିଲେ ଯେ ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସମୟରେ ଟୁଜି ସ୍ପେକ୍ଟ୍ରମ୍ ଆବଣ୍ଟନ ସଂପର୍କିତ ମାମଲାର ଶୁଣାଣି କରିଥିଲେ। ସେ ଦୃଷ୍ଟରୁ ଏୟାରସେଲ୍- ମାକ୍ସିସ୍ ମାମଲାର ସଂପ୍ୃକ୍ତି ଟୁଜି ସ୍ପେକ୍ଟ୍ରମ୍ ଆବଣ୍ଟନ ସହିତ ରହିଥିବାରୁ ସେ ନିଜକୁ ଏହି ମାମଲାର ଶୁଣାଣିରୁ ଦୂରେଇ ଦେଉଛନ୍ତି ଏବଂ ତାଙ୍କ ସ୍ଥାନରେ ଜଷ୍ଟିସ୍ ଅରୁଣ ମିଶ୍ର ଏହି ମାମଲାର ଶୁଣାଣି କରିବେ।
/sambad/media/post_attachments/wp-content/uploads/2018/01/aarun-mishra-11-1515654741.jpg.pagespeed.ic_.gyequLcvMS-300x225.jpg)
ଏହି ଘଟଣା ପରେ ଆଜି ଯେତେବେଳେ ନୂତନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା, ସେତେବେଳେ ଆବେଦନକାରୀ କାର୍ତ୍ତି ଚିଦାମ୍ବରମ୍ଙ୍କ ଓକିଲ ନୂତନ ଖଣ୍ଡପୀଠଙ୍କୁ କହିଥିଲେ, ‘ଆମେ ଏବେ ଖୁସି, ବର୍ତ୍ତମାନ ଆପଣମାନେ ଆମ ମାମଲାର ଶୁଣାଣି କରିବେ’। ଏହା ଶୁଣି ଖଣ୍ଡପୀଠର ବିଚାରପତିମାନେ ଘୋର ବିରକ୍ତି ପ୍ରକାଶ କରିବା ସହ ଉପରୋକ୍ତ ଶବ୍ଦ ପ୍ରୟୋଗ କରି ଚିଦାମ୍ବରଙ୍କ ଓକିଲଙ୍କ ଉପରେ ବର୍ଷିଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୧ରେ ଦେଶର ଚର୍ଚ୍ଚିିତ ଟୁଜି ସ୍ପେକ୍ଟ୍ରମ୍ ଆବଣ୍ଟନ ଦୁୁନୀତିରେ ଏୟାରସେଲ୍-ମାକ୍ସିସ୍ର ସଂପୃକ୍ତି ଥିଲା ଏବଂ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ସଂପର୍କରେ ଅଭିଯୋଗ ଉଠିଥିଲା। ଏହି ମାମଲାରେ ତତ୍କାଳୀନ ଟେଲିକମ୍ ମନ୍ତ୍ରୀ ଦୟାନିଧି ମାରାନ୍ଙ୍କ ସଂପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଅନ୍ୟ ପକ୍ଷରେ ବର୍ତ୍ତମାନ ଏୟାରସେଲ୍-ମାକ୍ସିସ୍ ମାମଲାରେ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଥିବା କୀର୍ତ୍ତି ଚିଦାମ୍ବରମ୍ ହେଉଛନ୍ତି ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରଙ୍କ ପୁତ୍ର।