ଜଷ୍ଟିସ୍‌ ବବ୍‌ଡ଼େ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ସୁପାରିସ କଲେ ପ୍ରଧାନ ବିଚାରପତି ଗୋଗଇ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଏସ୍‌ ଏ ବବ୍‌ଡ଼େଙ୍କ ନାମ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି। ଗୋଗଇ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଏକ ଚିଠି ଲେଖି ଜଷ୍ଟିସ୍‌ ଏସ୍‌ ଏ ବବ୍‌ଡ଼େଙ୍କ ନାମ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରସି କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ୨୦୧୮ ଅକ୍ଟୋବର୩ ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଗୋଗଇ ଆସନ୍ତା ନଭେମ୍ବର ୧୭ ତାରିଖ‌ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ଏହାପରେ ନ‌ଭେମ୍ବର ୧୮ ତାରିଖରେ ଜଷ୍ଟିସ୍‌ ବବ୍‌ଡ଼େ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି।

ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ହିଁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି। ଜଷ୍ଟିସ୍‌ ଗୋଗଇଙ୍କ ପରେ ଜ‌ଷ୍ଟିସ୍‌ ବବ୍‌ଡ଼େ ଦ୍ବିତୀୟ ବରି‌ଷ୍ଠତମ ବିଚାରପତି ହୋଇଥିବାରୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଗୋଗଇ ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି । ୬୩ ବର୍ଷୀୟ ବବ୍‌ଡ଼େ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ। ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ମୁମ୍ବାଇ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ନାଗପୁରର ଚାନ୍ସଲର୍‌ ଥିଲେ। ଜଷ୍ଟିସ୍‌ ବବ୍‌ଡ଼େ ଏପ୍ରିଲ ୨୩, ୨୦୨୧ରେ ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର