ନୂଆଦିଲ୍ଲୀ: ବ‌ାସଭବନରୁ ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ସଂସଦ‌ରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଜଷ୍ଟିସ ବର୍ମା ଏହି ପ୍ରକ୍ରିୟାକୁ ଅଟକାଇବାକୁ ଉଦ୍ୟମ କରି ତାଙ୍କୁ  ଦୋଷୀ ପ୍ରମାଣିତ କରିଥିବା ଇନ୍‌-ହାଉସ୍‌ ତଦନ୍ତ ରିପୋର୍ଟକୁ ଚ୍ୟାଲେଞ୍ଜ କରି  ସୁପ୍ରିମ‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି ପାଇଁ ରାଜି ହେବା ସହ ଏଥିପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇଛି। ଅନ୍ୟପକ୍ଷ‌ରେ ପ୍ରଧାନ ବିଚାରପତି  ବି ଆର୍‌ ଗୱାଇ ମାମଲାର ଶୁଣାଣିରୁ ଓହରିଯାଇଛି।

Advertisment

ଜଷ୍ଟିସ ବର୍ମାଙ୍କ ପାଇଁ ଆଜି ବରିଷ୍ଠ ଓକିଲ କପିଲ ସିବଲ  ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ୩ ଜଣିଆ ଖଣ୍ଡପୀଠଙ୍କ ନିକଟରେ  ନିବେଦନ କରିଥିଲେ। ମାମଲାରେ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ପ୍ରସଙ୍ଗ ଥିବାରୁ ଏହାକୁ ତୁରନ୍ତ ଶୁଣାଣି କରିବାପାଇଁ ସିବଲ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ସିବଲଙ୍କ ଅନୁରୋଧ ଶୁଣିବାପରେ ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି କରିବାପାଇଁ ଏକ ଖଣ୍ଡପୀଠ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହା କାର୍ଯ୍ୟକାରୀ ହୋଇଛି। ତେବେ ସିଜେଆଇ ଏହି ଖଣ୍ଡପୀଠର ଅଂଶ ହେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆଜି ଆବେଦନ‌ର ଶୁଣାଣି କରୁଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବାଦ୍‌ ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଏବଂ ଜୟମାଲ୍ୟ ବାଗ୍‌ଚୀ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ, ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଇନ୍‌ ହାଉସ୍‌ ତତନ୍ତ ରିପୋର୍ଟକୁ ସେ ଜୁଲାଇ ୧୭ ତାରିଖରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।  ଜଷ୍ଟିସ ବର୍ମା କହିଛନ୍ତି, ତାଙ୍କ ସରକାରୀ ବାସଭବନର ଆଉଟ୍‌ହାଉସ୍‌ରୁ ନଗଦ ଟଙ୍କା ମିଳିଥିଲା। ଏହି ଟଙ୍କାର ପ୍ରକୃତ ମାଲିକ କିଏ ତାହା ପ୍ରମାଣ କରିବାପାଇଁ ଇନ୍‌ ହାଉସ୍‌ ଇନକ୍ବାରି କମିଟି ବିଫଳ ହୋଇଛି।