ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ଦାୟିତ୍ବରେ ଥିବା ବେଳେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଆଉଟ୍‌ହାଉସ୍ ଭିତରେ ଏକାଧିକ ସାକ୍ଷୀ ନୋଟ୍‌ର ଏକ ବଡ଼ ଗଦା ଦେଖିଥିଲେ। ସେଥିରୁ କିଛି ଟଙ୍କା ଅଧା ପୋଡ଼ିଯାଇଥିଲା। ଜଷ୍ଟିସ୍ ବର୍ମା ଏହା ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର ବୋଲି କହୁଥିବା‌ ବେଳେ ଏ ନେଇ କେବେହେଲେ ପୁଲିସରେ ଅଭିଯୋଗ କରି ନ ଥିଲେ କିମ୍ବା ନ୍ୟାୟିକ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିଲେ। ବିଚାରପତିଙ୍କ ବିରୋଧରେ ବେଆଇନ ଟଙ୍କା ଠୁଳ ଅଭିଯୋଗ ସତ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ଜାଣିବାକୁ ପାଇଛି। ଏବେ ଆହ୍ଲାବାଦ ହାଇକୋର୍ଟରେ ଅବସ୍ଥାପିତ ଏହି ବିଚାରପତିଙ୍କ ଆଚରଣକୁ ଅସ୍ବାଭାବିକ ବୋଲି କହି ତାଙ୍କୁ ହଟାଇବାକୁ କମିଟି ସୁପାରିସ କରିଛି।

Advertisment

କମିଟି ବିଚାରପତିଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ସେମାନେ ଉଠାଇଥିବା ଫଟୋ ଓ ଭିଡିଓ ପ୍ରମାଣ ପାଇଥିଲା। ଏତେ ଟଙ୍କା ମିଳିବା ସତ୍ତ୍ବେ ବିଚାରପତି ଘଟଣା ବିଷୟରେ ପୁଲିସ କିମ୍ବା ନ୍ୟାୟାଳୟଙ୍କୁ ଜଣାଇ ନ ଥିଲେ ଯାହା ତାଙ୍କର ‘ଅସ୍ବାଭାବିକ’ ଆଚରଣକୁ ଦର୍ଶାଉଥିଲା। କମିଟି ଜଷ୍ଟିସ ବର୍ମାଙ୍କ ଝିଅଙ୍କ ସମେତ ୫୫ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ସହ ଅଗ୍ନିଶମ ଓ ପୁଲିସ କର୍ମଚାରୀଙ୍କ ସାକ୍ଷ୍ୟ ନେଇଥିଲା ଏବଂ ଷ୍ଟୋର୍‌ରୁମ୍ ଚଟାଣରେ ୫୦୦ ଟଙ୍କିଆ ନୋଟ୍‌ର ଏକ ବଡ଼ ଗଦା ପଡ଼ିଥିବାର ଭିଡିଓ ଓ ଫଟୋ ପାଇଥିଲା। ଏହା ସତ୍ତ୍ୱେ ଜଷ୍ଟିସ୍ ବର୍ମା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଏ ନେଇ ପୁଲିସକୁ ଖବର ଦେଇ ନ ଥିଲେ କିମ୍ବା ବରିଷ୍ଠ ନ୍ୟାୟିକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ନ ଥିଲେ।

ଯଦି ତାଙ୍କୁ ଫସାଇବା ପାଇଁ ତାଙ୍କ ଘରେ ଟଙ୍କା ବସ୍ତା ଫୋପାଡ଼ି କେହି ଷଡ଼୍‌ଯନ୍ତ୍ର କରିଥିଲା, ତେବେ ସେ କାହିଁକି ଅଭିଯୋଗ ଦାଖଲ କଲେ ନାହିଁ କିମ୍ବା ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ପ୍ରଧାନ ବିଚାରପତିଙ୍କୁ ଜଣାଇଲେ ନାହିଁ ବୋଲି କମିଟି ପ୍ରଶ୍ନ କରିଛି। ଟଙ୍କା ବିଷୟରେ ମୁଁ କିଛି ଜାଣିନି ବୋଲି ବିଚାରପତି ଯେଉଁ ସଫେଇ ଦେଉଛନ୍ତି ତାହା ବିଶ୍ବାସଯୋଗ୍ୟ ନୁହେଁ ଏବଂ ସେ କୌଣସି ଯୁକ୍ତିଯୁକ୍ତ ସ୍ପଷ୍ଟୀକରଣ ଦେଇନାହାନ୍ତି ବୋଲି କମିଟି କହିଛି। 
ଏହାବ୍ୟତୀତ ଯେଉଁ ଷ୍ଟୋର୍‌ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିଲା ଓ ନଗଦ ଟଙ୍କା ମିଳିଥିଲା, ତାକୁ କେବଳ ଜଷ୍ଟିସ ବର୍ମା ଓ ତାଙ୍କ ପରିବାର ନିୟନ୍ତ୍ରଣ କରୁଥିଲେ ବୋଲି କମିଟି କହିଛି। ପରେ କୋଠରିକୁ ସଫା କରାଯାଇଥିଲା ଏବଂ ନୋଟ୍‌ଗୁଡ଼ିକ ‘ଅଦୃଶ୍ୟ’ ହୋଇଯାଇଥିଲା। ବିଚାରପତିଙ୍କ ଜଣେ ବ୍ୟକ୍ତିଗତ ସଚିବ ଅଗ୍ନିଶମ ଅଧିକାରୀମାନଙ୍କୁ ସେମାନଙ୍କ ସରକାରୀ ରିପୋର୍ଟରୁ ନୋଟ୍‌ର କୌଣସି ଉଲ୍ଲେଖ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି।   

ଜଷ୍ଟିସ ବର୍ମାଙ୍କ ଘରୋଇ କର୍ମଚାରୀମାନେ ନଗଦ ଟଙ୍କା ଦେଖିବା କଥାକୁ ଅସ୍ୱୀକାର କରିଥିବା ବେଳେ ପୁଲିସ ଓ ଅଗ୍ନିଶମ ଅଧିକାରୀଙ୍କ ସ୍ବାଧୀନ ବୟାନକୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ ବୋଲି କମିଟି କହିଛି। ଏହି ଘଟଣା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଷଡ଼୍‌ଯନ୍ତ୍ର ବୋଲି ଜଷ୍ଟିସ୍ ବର୍ମାଙ୍କ ଯୁକ୍ତିକୁ ମଧ୍ୟ କମିଟି ପ୍ରତ୍ୟାଖ୍ୟାନ କରିଛି। ସୂଚନାଯୋଗ୍ୟ, ଜଷ୍ଟିସ୍ ବର୍ମା ଏପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହି ଇସ୍ତଫା ଦେଇନାହାନ୍ତି କି ସ୍ୱେଚ୍ଛାକୃତ ଅବସର ନେଇନାହାନ୍ତି ଏବଂ ତଦନ୍ତକୁ ମୂଳତଃ ଏକ ଅନ୍ୟାୟ ପ୍ରକ୍ରିୟା ବୋଲି କହିଛନ୍ତି।