ଅସହମତିକୁ ‘ଦେଶ ବିରୋଧୀ’ ଦର୍ଶାଇବା ଗଣତନ୍ତ୍ରର ଆତ୍ମାରେ ଆଘାତ: ଜଷ୍ଟିସ୍‌ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅସହମତି ହେଉଛି ଗଣତନ୍ତ୍ରର ସୁରକ୍ଷା ବଳୟ ଭଳି। ଅସହମତିକୁ ଦେଶ ବିରୋଧୀ ଏବଂ ଗଣତନ୍ତ୍ର ବିରୋଧୀ କହିବା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସେ କହିଛନ୍ତି। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି, ଗଣତନ୍ତ୍ରରେ କାହାର ଭିନ୍ନ ସ୍ବରକୁ ଦବାଇବା ଅର୍ଥ ହେଉଛି ଗଣତନ୍ତ୍ରର ଆତ୍ମାରେ ଆଘାତ କରିବା। ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଏଭଳି ବୟାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ଅହମଦାବାଦରେ ଗୁଜରାଟ ହାଇକୋର୍ଟର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅସହମତିରେ ଅଙ୍କୁଶ ଲଗାଇବା ପାଇଁ ସରକାରୀ କଳର ବ୍ୟବହାର ଭୟର ବାତାବରଣ ସୃଷ୍ଟି କରିଥାଏ ଯାହାକି ଆଇନର ଶାସନକୁ ଉଲ୍ଲଂଘନ କରେ। ଗଣତନ୍ତ୍ର ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦେଶରେ ଅସହମତିକୁ ସମ୍ମାନ ଦେବାକୁ ପଡ଼ିବ। ତେଣୁ ଅସହମତିକୁ ନିରବ କରିଦେବା ପାଇଁ ଲୋକଙ୍କ ମନରେ କଦାପି ଭୟ ସୃଷ୍ଟି କରିବା ଉଚିତ ହେବନାହିଁ। ସୂଚନାଯୋଗ୍ୟ ସିଏଏ ବିରୋଧୀ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଉତ୍ତରପ୍ରଦେଶରେ ଆନ୍ଦୋଳନ ଭୟାନକ ରୂପ ନେଇଥିଲା ଏବଂ ବ୍ୟାପକ ସରକାରୀ ସମ୍ପତ୍ତିର କ୍ଷୟକ୍ଷତି ହୋଇଥିଲା। ସରକାର ଏବେ ଦଙ୍ଗାକାରୀଙ୍କଠାରୁ ଏ ବାବଦ କ୍ଷତି ଭରଣା ପାଇଁ ପଦକ୍ଷେପ ନେଇଛନ୍ତି। ଏହା ବିରୋଧରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆବେଦନ କରାଯାଇଛି। ଏ ସଂକ୍ରାନ୍ତ ଶୁଣାଣି କରୁଥିବା ଖଣ୍ଡପୀଠରେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ରହିଥିବାରୁ ତାଙ୍କର ଏହି ବୟାନ ବେଶ୍‌ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର