ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଆଗରେ ଅନେକ ଆହ୍ବାନ: ୯ରେ ପ୍ରଧାନବିଚାରପତି ଭାବେ ଦାୟିତ୍ବ ନେବେ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନବିଚାରପତି ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁତ୍ର ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୯ ତାରିଖରୁ ଭାରତର ପ୍ରଧାନବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ୨ ବର୍ଷରୁ ଅଧିକ କାଳ ଏହି ପଦବିରେ ରହିବା ଅବସରରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଫୈସଲା କରିବାର ସୁଯୋଗ ପାଇବେ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଆଗରେ ଅନେକ ଆହ୍ବାନ ରହିଛି ଏବଂ ସବୁ ଆହ୍ବାନର ସମ୍ମୁଖୀନ ହେବା ପାଇଁ ସେ ସମ୍ପୂର୍ଣ୍ଣ ସମର୍ଥ ବୋଲି ବିଶ୍ବାସ କରାଯାଉଛି। ସେ ଆହାରରେ ଅତ୍ୟନ୍ତ ସଂଯମୀ ଏବଂ ପ୍ରତ୍ୟହ ରାତି ସାଢ଼େ ୩ଟାରେ ଶଯ୍ୟାତ୍ୟାଗ କରନ୍ତି। ତାଙ୍କ ବୌଦ୍ଧିକ ଶକ୍ତିକୁ ବି ସମସ୍ତେ ପ୍ରଶଂସା କରନ୍ତି। ସେ ଜଣେ ସଂସ୍କୃତିସମ୍ପନ୍ନ ମଣିଷ। ଓକିଲମାନେ ତାଙ୍କ ଆଗରେ ମାମଲା ପରିଚାଳନା କରିବାକୁ ବେଶି ପସନ୍ଦ କରନ୍ତି। ଜଣେ ବିଚାରପତି ଭାବେ ସେ ଅତ୍ୟନ୍ତ ଉଦାର ଓ ସହୃଦୟ। ମହିଳା ଓ ବଞ୍ଚିତଙ୍କ ଅଧିକାର ପ୍ରତି ସେ ଅତ୍ୟନ୍ତ ସମ୍ବେଦନଶୀଳ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଆଗରେ ଏବେ ରହିଛି ଅନେକ ଆହ୍ବାନ। ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନର ବୈଧତା, ଇଲେକ୍ଟୋରାଲ ବଣ୍ଡ୍ ଯୋଜନା ଇତ୍ୟାଦି ମାମଲା ଉପରେ ସେ ଯାହା ବି ରାୟ ଦେବେ, ତା’ର ବିରାଟ ରାଜନୈତିକ ପ୍ରଭାବ ରହିବ। ତା’ଛଡ଼ା ପାହାଡ଼ ପ୍ରମାଣ ପଡ଼ିରହିଥିବା ମାମଲା, ଯଥେଷ୍ଟ ଭିତ୍ତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟାର ସେ କିପରି ସମାଧାନ କରିବେ, ତାହା ମଧ୍ୟ ତାଙ୍କ ଆଗରେ ଏକ ଆହ୍ବାନ। କଲେଜିୟମ୍‌ର ମୁଖ୍ୟ ହିସାବରେ ସୁପ୍ରିମ୍‌କୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଖାଲି ରହିଥିବା ପଦବିଗୁଡ଼ିକ ପୂରଣ କରିବା ବି ତାଙ୍କର ଦାୟିତ୍ବ।

ସମ୍ବନ୍ଧିତ ଖବର