ସୁପ୍ରିମ୍‌କୋର୍ଟ ଜଜ୍‌ ଲାଉଞ୍ଚରେ ଟି ପାର୍ଟି ବେଳେ ଭାବପ୍ରବଣ ହେଲେ ବିଚାରପତି, ଆଖିରୁ ଝରିପଡ଼ିଲା ଲୁହ !

ନୂଅାଦିଲ୍ଲୀ:  ଖୁବଶୀଘ୍ର ହୋଇପାରେ ସୁପ୍ରିମକୋର୍ଟ ସଂକଟର ସମାଧାନ। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଜାରି ରହିଥିବା ସଂକଟ ଉପରେ ଆଜି ସାରା ଦେଶର ନଜର ରହିଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ୪ ଜଣ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି। ଫଳରେ ବିବାଦର ସମାଧାନ ପାଇଁ ଆଶା ସଂଚାର ହୋଇଛି। କାରଣ, ତାଙ୍କ କାର୍ଯ୍ୟଧାରା ବିରୋଧରେ ଏହି ବରିଷ୍ଠ ବିଚାରପତିମାନେ ପ୍ରଶ୍ନ ଉଠାଇଥିଲେ। ଆସନ୍ତାକାଲି ମଧ୍ୟ ବିଚାରପତିଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଚାରି ଦିନ ଧରି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଜାରି ରହିଥିବା ସଂକଟର ଅବସାନ ପାଇଁ ଆଜି ବାଟ ଫିଟିଛି। ଏହି ସଂକଟର ସମାଧାନ ଲାଗି ସମସ୍ତଙ୍କ ନଜର ଥିଲା ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଉପରେ। କାରଣ ଗତ ଶୁକ୍ରବାର ଦିନ ଜଷ୍ଟିସ୍‌ ଜେ ଚେଲାମେଶ୍ୱର, ରଂଜନ ଗୋଗଇ, ମଦନ ଲୋକୁର, ଜୋସେଫ୍‌ କୁରିୟନ୍‌ ଅଭିଯୋଗ ଆଣିଥିଲେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଧାରାକୁ ନେଇ। ଆଜି ଜଷ୍ଟିସ ଦୀପକ ମିଶ୍ର ଏହି ଚାରି ଜଣ ବିଚାରପତିଙ୍କୁ ଭେଟି ସେମାନଙ୍କ ସହ ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆସନ୍ତାକାଲି ମଧ୍ୟ ବିଚାରପତିଙ୍କ ମଧ୍ୟରେ ଆଲୋଚନା ଚାଲିବ ଏବଂ ସବୁ କିଛି ଠିକ୍‌ ଦିଗରେ ଚାଲିଛି ବୋଲି ମଧ୍ୟ ସୂଚନା ମିଳିଛି। ଆଉ ଦୁଇ-ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଆଟର୍ଣ୍ଣିଂ ଜେନେରାଲ୍‌ ଭେନୁଗୋପାଲ୍‌।

ସୁପ୍ରିମକୋର୍ଟ ସଙ୍କଟର ସମାଧାନ ନେଇ ଆଟର୍ଣ୍ଣିଂ ଜେନେରାଲ୍‌ କୁହନ୍ତୁ କିମ୍ବା ବାର କାଉନସିଲ ଅଧ୍ୟକ୍ଷ ଯାହା କୁହନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ବିବାଦର ସମାଧାନ ପାଇଁ ଆଗକୁ ଆସିଛନ୍ତି ପ୍ରଧାନ ବିଚାରପତି। ଯେଉଁ ଚାରି ଜଣ ବରିଷ୍ଠ ବିଚାରପତି ଅଭିଯୋଗ ଆଣିଥିଲେ ସେମାନଙ୍କ ସହ ଆଲୋଚନା କରି ସମାଧାନର ଆଶା ଦେଖାଇଛନ୍ତି। ତେବେ ଗତକାଲି ଅର୍ଥାତ ସୋମବାର ଦିନ ସୁପ୍ରିମକୋର୍ଟର ଜଜେସ୍‌ ଲାଉଂଜରେ ବେଶ୍‌ ଆବେଗପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା। କାରଣ ଶୁକ୍ରବାର ଘଟଣା ପରେ ପରସ୍ପରକୁ ଭେଟୁଥିଲେ ବିଚାରପତି।

ସୋମବାର, ପ୍ରାୟ ସକାଳ ୧୦ଟା। ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ପୂର୍ବରୁ ସବୁଦିନ ଭଳି ଏଠାରେ ଏକାଠି ହୋଇଥିଲେ ବିଚାରପତି। ବର୍ଷ ବର୍ଷ ଗଡିଆସିଛି ଏହି ପରମ୍ପରା, ସକାଳ ଚା’ପାନ ସହ କିଛି ସମୟ ଏଠାରେ କଟାଇଥାନ୍ତି ବିଚାରପତି। ଇଣ୍ଡୋ-ଏସିୟାନ୍‌ ନ୍ୟୁଜ ସର୍ଭିସ ରିପୋର୍ଟ ଅନୁସାରେ ସୋମବାର ସକାଳେ ଦେଖିବାକୁ ମିଳିଥିଲା ଆବେଗମୟ ବାତାବରଣ। କାରଣ ଶୁକବ୍ରାର ଦିନର ଘଟଣା ପରେ ପ୍ରଥମ ଥର ସାମନା ସାମନି ହେଉଥାନ୍ତି ବିଚାରପତି। ଜଷ୍ଟିସ୍‌ ଅରୁଣ ମିଶ୍ର, ଅନ୍ୟ ବିଚାରପତିଙ୍କୁ କହିଥିଲେ ତାଙ୍କୁ ଅନ୍ୟାୟ ଭାବେ ଅଯଥାରେ ଟାର୍ଗେଟ କରାଯାଇଛି। ପୂର୍ବ ପ୍ରଧାନ ବିଚାରପତି ମଧ୍ୟ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଦେଇଛନ୍ତି। ହେଲେ ତାଙ୍କର କାର୍ଯ୍ୟଦକ୍ଷତା, ସାଧୁତା ଓ ଅଖଣ୍ଡତା ଉପରେ ଏବେ ପ୍ରଶ୍ନ ଉଠାଯାଇଛି। ଏକଥା କହିବା ବେଳେ ଦୁଃଖରେ ଭାଙ୍ଗି ପଡିଥିଲେ ୬୧ ବର୍ଷିଅ ଜଷ୍ଟିସ୍‌ ଅରୁଣ ମିଶ୍ର। ଆଖିରୁ ତାଙ୍କର ଲୁହ ଝରିପଡ଼ିଥିଲା। ଏହା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏବଂ ଜଷ୍ଟିସ ଚେଲାମେଶ୍ୱର ତାଙ୍କୁ ପ୍ରବୋଧନା ଦେଇଥିଲେ। ଜଷ୍ଟିସ ଚେଲାମେଶ୍ୱର ତାଙ୍କ ହାତକୁ ଧରିଥିଲେ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ତାଙ୍କ ଚ୍ୟାମ୍ବରକୁ ବାଟ କଢେଇ ନେଇଥିଲେ। ଜଷ୍ଟିସ ଚେଲାମେଶ୍ୱର କହିଥିଲେ ସେମାନେ ବ୍ୟକ୍ତିଗତ ଭାବେ ତାଙ୍କୁ ଟାର୍ଗେଟ କରିନାହାନ୍ତି, ବରଂ ଏକ ପ୍ରସଙ୍ଗ ଉଠାଇଛନ୍ତି। ଆଇଏଏନ୍‌ଏସ୍‌ ରିପୋର୍ଟ ଅନୁସାରେ ସୋମବାର ଦିନ ସାଢେ ୧୦ଟା ବଦଳରେ ୧୦ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା ଅଦାଲତ।

ସମ୍ବନ୍ଧିତ ଖବର