ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼

ଚେନ୍ନାଇ: ସୁପ୍ରିମ୍‌ କୋର୍ଟରେ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ବିଚାରପତି ଥିବା ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି।

ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍‌ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍‌, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ ଏବଂ ସୁପ୍ରିମ୍‌ କ‌ୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ।

Image Courtesy of Live Law

ସେ ଦୁଇ ବର୍ଷ ପାଇଁ ଭାରତର ପ୍ରଧାନ ବିଚାରପତି ପଦବୀରେ ରହିବା ପରେ ୨୦୨୪ ନଭେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବେ।

ଏହା ହେଉଛି ଭାରତୀୟ ବିଚାର ବିଭାଗରେ ବାପପୁଅ ଯୋଡ଼ିର ପ୍ରଥମ ଦୃଷ୍ଟାନ୍ତ। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପିତା ୟେଶ୍‌ୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ୧୯୭୮ ଫେବ୍ରୁଆରି ୨ରୁ ୧୯୮୫ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଭାରତର ୧୬ଶ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

୨୦୧୬ ମେ ୧୩ ତାରିଖରେ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ତାଙ୍କ ପୁଅ ଡି. ୱାଇ. ଚନ୍ଦ୍ରଚୂଡ଼ ଉଦାର ଏବଂ ପ୍ରଗତିଶୀଳ ବିଚାର ପାଇଁ ସୁପରିଚିତ। ଅବିବାହିତ ମହିଳାମାନଙ୍କ ଗର୍ଭପାତ ଅଧିକାର ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଇବା ହେଉଛି ତାଙ୍କ ଉପରୋକ୍ତ ବିଚାରଧାରାର ଦୃଷ୍ଟାନ୍ତ।

ସମ୍ବନ୍ଧିତ ଖବର